ଭୟଙ୍କର ହେଲିକପ୍ଟର ଦୁର୍ଘଟଣା

ପାଇଲଟଙ୍କ ସମେତ ଅନେକ ଯାତ୍ରୀ ମୃତ

ଡେରାଡୁନ, ୧୫/୦୬: ନିକଟରେ ଅହମ୍ମଦାବାଦର ଭୟଙ୍କର ବିମାନ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆଜି ପୁଣି ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। କେଦାରନାଥ ଧାମରୁ ଗୁପ୍ତକାଶୀ ଅଭିମୁଖେ ଯାତ୍ରା କରୁଥିବା ଆର୍ଯ୍ୟନ ଏଭିଏସନର ଏକ ହେଲିକପ୍ଟର ଗୌରୀକୁଣ୍ଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହା ଫଳରେ ପାଇଲଟଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଚାରିଧାମ ଅଞ୍ଚଳକୁ ହେଲିକପ୍ଟର ଉଡାଣ ସ୍ଥଗିତ ରଖିଛନ୍ତି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ଉନ୍ନୟନ କର୍ତ୍ତୃପକ୍ଷ।

ହେଲିକପ୍ଟରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷର ନାବାଳିକା ମଧ୍ୟ ଅଛନ୍ତି। ଦୁର୍ଘଟଣା ପରେ ଏସଡିଆରଏଫ, ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଦୁର୍ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଧାମୀ।