ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଅର୍ଡର ଅଫ୍ ମକାରିଓସ୍-୩’ ପ୍ରଦାନ

ସାଇପ୍ରସର ପ୍ରଥମ ରାଷ୍ଟ୍ରପତି ଆର୍ଚବାଇଶପ ମାକାରିଓସ୍ ତୃତୀୟଙ୍କ ନାମରେ ନାମିତ ଏହି ସମ୍ମାନ

ନୂଆଦିଲ୍ଲୀ, ୧୬/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ ଗସ୍ତରେ ଥିବା ବେଳେ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିକୋସିଆରେ ଥିବା ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡସ ମୋଦିଙ୍କୁ ସାଇପ୍ରସ୍ ଗଣତନ୍ତ୍ରର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ମକାରିଓସ୍ ତୃତୀୟ’ ପ୍ରଦାନ କରିଥିଲେ।

କୃତଜ୍ଞତା ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ସମ୍ମାନ କେବଳ ତାଙ୍କ ପାଇଁ ନୁହେଁ, ବରଂ ଭାରତର ୧୪୦ କୋଟି ଲୋକଙ୍କ ପାଇଁ। ଏହି ସମ୍ମାନ ଭାରତ ଓ ସାଇପ୍ରସ ମଧ୍ୟରେ ଥିବା ଦୃଢ଼ ବନ୍ଧୁତା ଏବଂ ସେମାନଙ୍କର ମିଳିତ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି ବୋଲି ମୋଦି ଗୁରୁତ୍ୱାରୋପ କରିଥିଲେ। ଦୁଇ ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାଇପ୍ରସ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ମିଳିଛି‌।

ସାଇପ୍ରସର ପ୍ରଥମ ରାଷ୍ଟ୍ରପତି ଆର୍ଚବାଇଶପ ମାକାରିଓସ୍ ତୃତୀୟଙ୍କ ନାମରେ ନାମିତ ‘ଅର୍ଡର ଅଫ୍ ମାକାରିଓସ’ର ଏହି ସମ୍ମାନ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ବିତୀୟ, ଜର୍ମାନୀର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟାଇନମେୟର, ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭଙ୍କୁ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏବେ ଯାଏଁ ୨୦ଟି ଦେଶରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନ୍ତର୍ଜାତୀୟ ସମ୍ମାନ ମିଳିଛି।