ଭୁବନେଶ୍ୱର, ୧୮/୦୬: ଆସନ୍ତା ଜୁନ ୨୨ ତାରିଖରେ ମୁମ୍ବାଇ ଯିବେ ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଚିକିତ୍ସା ପାଇଁ ନବୀନ ମୁମ୍ବାଇ ଯିବେ। ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେବେ। ଏ ନେଇ ସେ ନିଜେ ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ସୂଚନା ଦେଇଛନ୍ତି।
ନବୀନ କହିଛନ୍ତି, “ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ମୁଁ ଚଳିତ ମାସ ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ୍ ପାଇଁ ମୋର ଅସ୍ତ୍ରୋପଚାର ହେବ। ମୋର ବ୍ୟକ୍ତିଗତ ଡାକ୍ତର ଡ଼ଃ ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଚିକିତ୍ସା ହେବ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି ଏବଂ ଆପଣମାନଙ୍କ ସେବା ଜାରି ରଖିବି।”
ତେବେ ନବୀନଙ୍କ ଠାରୁ ଏହି ଖବର ଶୁଣିବା ପରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ତାଙ୍କ ଅନୁଗାମୀ ଓ ଶୁଭେଚ୍ଛୁ।