ଇରାନର ୬ଟି ସାମରିକ ଘାଟିକୁ ଆକ୍ରମଣ, ୧୫ ଯୁଦ୍ଧ ବିମାନ ଧ୍ୱଂସ କଲା ଇସ୍ରାଏଲ

ହୋର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଇରାନର ଧମକ

ଜେରୁଜେଲମ, ୨୩/୦୬: ଆମେରିକା ଇରାନର ୩ ପରମାଣୁ କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ୱଂସ କରିବା ପରେ ତୀବ୍ର ହେଉଛି ଇରାନ ଇସ୍ରାଏଲ ଯୁଦ୍ଧ। ଇସ୍ରାଏଲ ଓ ଇରାନ ଆଟାକ ଓ କାଉଣ୍ଟର ଆଟାକ କରୁଛନ୍ତି। ଆଜି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDS) ଦାବି କରିଛି ଯେ ଆଇଡିଏଫ ଇରାନର ଛଅଟି ସାମରିକ ବିମାନବନ୍ଦର ଉପରେ ଆକ୍ରମଣ କରିଛି। ଇରାନର ପଶ୍ଚିମ, ପୂର୍ବ ଓ କେନ୍ଦ୍ରୀୟ ଭାଗରେ ଥିବା ଏହି ସାମରିକ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ଏହି ଆକ୍ରମଣରେ F-14, F-5 ଏବଂ AH-1 ସମେତ ୧୫ଟି ଲଢ଼ୁଆ ବିମାନ ଏବଂ ହେଲିକପ୍ଟରକୁ ନଷ୍ଟ କରିଛି।

ଟାର୍ଗେଟ କରାଯାଇଥିବା ଘାଟିଗୁଡ଼ିକ ମଧ୍ୟରେ ପ୍ରମୁଖ ପାର୍ଚିନ୍ ଏବଂ ତେହେରାନ ବିମାନ ଘାଟି ଅନ୍ତର୍ଭୁକ୍ତ। ଇରାନ ପୂର୍ବରୁ ହାଇଫା ସହର ସମେତ ଇସ୍ରାଏଲର ୧୦ଟି ସ୍ଥାନରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହି ଉତ୍ତେଜନା ମଧ୍ୟରେ ଇରାନ ହୋର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଉଛି। ଏହି ହୋର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ବିଭିନ୍ନ ସ୍ଥାନକୁ ତୈଳ ଓ ଗ୍ୟାସ ଯୋଗାଣ ହୁଏ। ସାମୁଦ୍ରିକ ପରିବହନର ଏହା ଏକ ପ୍ରମୁଖ ଜଳପଥ। ଏହି ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ପାଇଁ ଇରାନ ସଂସଦରେ ମଞ୍ଜୁରୀ ମିଳିଛି।