ଭୟଙ୍କର ବିସ୍ଫୋରଣର ସାମ୍ନା କରିଥିଲା ଏୟାର ଇଣ୍ଡିଆ ‘କନିଷ୍କ’ ବିମାନ
୪୦ ବର୍ଷ ପରେ ‘ମିଷ୍ଟର X’ ଙ୍କୁ ଚିହ୍ନଟ କଲା ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୋଲିସ
ନୂଆଦିଲ୍ଲୀ, ୨୩/୦୬: ୧୯୮୫ ମସିହା ଜୁନ ୨୩ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ ୧୮୨ ‘କନିଷ୍କ’ ପାଇଁ ଥିଲେ ଭୟଙ୍କର ଦିନ। ବିମାନରେ ବୋମା ବିସ୍ଫୋରଣ ହୋଇ ୩୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଆୟର୍ଲ୍ୟାଣ୍ଡ ଉପକୂଳରେ ଆକାଶରେ ଏହି ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନରେ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୩୨୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହାର ଗନ୍ତବ୍ୟସ୍ଥଳରୁ ମାତ୍ର ୪୫ ମିନିଟ୍ ପରେ, ବିମାନ ସହିତ ମଝି ଆକାଶରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। କୌଣସି ଚେତାବନୀ କିମ୍ବା ଜରୁରୀକାଳୀନ କଲ୍ ଜାରି କରାଯାଇ ନଥିଲା। ବିମାନଟି ରାଡାର ସ୍କ୍ରିନ୍ରୁ ଅଦୃଶ୍ୟ ହୋଇଯିବାରୁ ତୁରନ୍ତ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ହେଲେ କୌଣସି ଜୀବିତ ବ୍ୟକ୍ତି ମିଳିନଥିଲେ। ସମୁଦ୍ରରୁ କେବଳ ୧୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ତେବେ ଏହି ବିମାନ ଦୁର୍ଘଟଣାର ୪୦ ବର୍ଷ ପରେ ମିଳିଛି ସବୁଠୁ ବଡ଼ ପ୍ରମାଣ। କିପରି ହୋଇଥିଲା ସେଦିନ ବିମାନରେ ବିସ୍ଫୋରଣ ଏବଂ କିଏ ଥିଲେ ଏହି ଷଡ଼ଯନ୍ତ୍ର ପଛରେ ପ୍ରମୁଖ ବ୍ୟକ୍ତି ଓ ସେ ବଞ୍ଚିଛନ୍ତି କି ନାହିଁ ତାହା ଜଣା ପଡିଛି।
ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୋଲିସ (RCMP) ଶେଷରେ ସେହି ଆତ୍ମଘାତୀ ବିସ୍ଫୋରଣ କରିଥିବା ‘ମିଷ୍ଟର୍ X’ଙ୍କୁ ଚିହ୍ନଟ କରିଛି, ଯିଏ ୨୩ ଜୁନ ୧୯୮୫ ରେ ହୋଇଥିବା କନିଷ୍କ ଏୟାର ଇଣ୍ଡିଆ ବିସ୍ଫୋରଣର କିଛି ସପ୍ତାହ ପୂର୍ବରୁ ଏକ ବୋମା ପରୀକ୍ଷଣରେ ଜଡିତ ଥିଲେ। ତେବେ RCMP ଗୋପନୀୟତା ରଖି ଉକ୍ତ ବ୍ୟକ୍ତିଙ୍କର ନାମ ପ୍ରକାଶ କରିନାହିଁ।
ଗତ ଜୁନ୍ ୨୧ ତାରିଖରେ କନିଷ୍କ ବୋମା ବିସ୍ଫୋରଣର ବାର୍ଷିକୀ ପାଳନ ଅବସରରେ ମୃତକଙ୍କ ପାଇଁ ଆୟୋଜିତ ଏକ ସ୍ମୃତି ସଭାରେ RCMP ଆସିଷ୍ଟାଣ୍ଟ କମିଶନର ଡେଭିଡ୍ ଟେବୋଲ୍ ସେହି ରହସ୍ୟମୟ ‘ମିଷ୍ଟର X’ଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି।
ସୂଚନାଯୋଗ୍ୟ, ୨୩ ଜୁନ୍ ୧୯୮୫ରେ, ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୮୨ରେ ଖଲିସ୍ତାନି ଆତଙ୍କବାଦୀମାନେ ମଝି ଆକାଶରେ ଏକ ବୋମା ବିସ୍ଫୋରଣ କରିଥିଲେ, ଯେଉଁଥିରେ ସମସ୍ତ ୩୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନଟି ମଣ୍ଟ୍ରିଆଲ୍ ରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ କରୁଥିଲା ଏବଂ ଲଣ୍ଡନରେ ଏକ ରହଣି କରିଥିଲା। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ବଂଶୋଦ୍ଭବ କାନାଡିଆନ୍ ଥିଲେ। ଆୟର୍ଲ୍ୟାଣ୍ଡ ଉପକୂଳରେ ଘଟିଥିବା ଏହି ବିସ୍ଫୋରଣକୁ କାନାଡିଆନମାନଙ୍କ ବିରୁଦ୍ଧରେ ସବୁଠାରୁ ଖରାପ ଆତଙ୍କବାଦୀ ଆକ୍ରମଣ ଭାବରେ ବିବେଚନା କରାଯାଇଥିଲା।
ବୋମା ବିସ୍ଫୋରଣର ୪୦ ତମ ବାର୍ଷିକୀ ପାଳନ ପାଇଁ ସ୍ମୃତି ସଭାରେ ଟେବୋଲ କହିଛନ୍ତି ଯେ ୨୦୦୫ ମସିହାରେ ବୋମା ବିସ୍ଫୋରଣ ମାମଲାରେ ଦୁଇ ପ୍ରମୁଖ ସନ୍ଦିଗ୍ଧଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। କିନ୍ତୁ ଏହି ମାମଲାର ମୂଳ ଯାଏଁ ପହଞ୍ଚିବା ପାଇଁ ଆମେ ସେହି ଦୁଇ ଜଣଙ୍କ ଉପରେ ନିୟମିତ ନଜର ରଖୁଥିଲୁ। ଶେଷରେ ଏହି ବିସ୍ଫୋରଣ ପଛରେ ‘ମିଷ୍ଟର X’ ଙ୍କ ହାତ ଥିବା ଜଣା ପଡ଼ିଥିଲା। ସେ ୪ ଜୁନ୍ ୧୯୮୫ ରେ ବାବର ଖାଲସାର ଆତଙ୍କୀ ତଥା ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଲୱିନ୍ଦର ସିଂହ ପରମାରଙ୍କ ସହିତ ବ୍ରିଟିଶ କଲମ୍ବିଆର ଡଙ୍କନକୁ ଯାତ୍ରା କରିଥିଲେ। ତା’ପରେ ସେ ଦୁଇଜଣ ଇଲେକ୍ଟ୍ରିସିଆନ୍ ଇନ୍ଦ୍ରଜିତ ସିଂହ ରୟାତଙ୍କ ସହିତ ସାକ୍ଷାତ କରିଥିଲେ, ଯିଏ ପରେ ବୋମା ତିଆରି କରିଥିଲେ ଏବଂ ବୋମା ଖଞ୍ଜିଥିଲେ। ତିନିଜଣ ଏକ ଜଙ୍ଗଲରେ ଏକ ବୋମା ପରୀକ୍ଷା କରିଥିଲେ। ସେତେବେଳେ କାନାଡାର ସୁରକ୍ଷା ଗୁପ୍ତଚର ସର୍ଭିସ (CSIS) ର ଏଜେଣ୍ଟମାନେ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଥିଲେ। ତା’ପରେ ସେମାନେ ଏହି ଆଇଇଡି ବ୍ଲାଷ୍ଟ କରିଥିଲେ। ହେଲେ CSIS ଏଜେଣ୍ଟମାନେ ତାକୁ ଗୁଳି ଫୁଟିବାର ଶବ୍ଦ ବୋଲି ଭାବିଥିଲେ। ଯାହା ଫଳରେ ଆଉ କୌଣସି ଅଭିଯୋଗ ହୋଇନଥିଲା।
ତେବେ ବିସ୍ଫୋରଣ ହେବାର ଦଶନ୍ଧି ପରେ ବି ଏହା ପଛରେ ଥିବା ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରିନଥିଲା। ତେଣୁ ତାଙ୍କୁ ‘ମିଷ୍ଟର X’ ବୋଲି କୁହାଯାଇଥିଲା। ଏହି ବିସ୍ଫୋରଣରେ କେବଳ ଇନ୍ଦ୍ରଜିତ ସିଂହ ରୟାତ୍ ଏକମାତ୍ର ବ୍ୟକ୍ତି ଥିଲେ ଯିଏ, ଧରା ପଡି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏପରିକି ସେ ‘ମିଷ୍ଟର X’ ଙ୍କ ବିଷୟରେ ଜାଣିନଥିବା କହିବା ସହ ମିଥ୍ୟା ସାକ୍ଷୀ ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଆହୁରି ଅଧିକ ବର୍ଷ ଜେଲରେ ବିତାଇବାକୁ ପଡିଥିଲା। ସେହିପରି ବୋମା ବିସ୍ଫୋରଣ ପଛରେ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ଏବଂ ବବର ଖାଲସା ଆତଙ୍କୀ ତଲୱିନ୍ଦର ସିଂହ ପରମାର ୧୯୯୨ରେ ପଞ୍ଜାବ ପୋଲିସର ଏନକାଉଣ୍ଟରରେ ନିହତ ହୋଇଥିଲା।