ୱାଶିଂଟନ, ୨୪/୦୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ନେଇ ଘୋଷଣା କରିଛନ୍ତି।
ଟ୍ରମ୍ପ ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ଘୋଷଣା କରି କହିଛନ୍ତି, ଆସନ୍ତା ୬ ଘଣ୍ଟା ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବ। ପ୍ରାୟ ୬ ଘଣ୍ଟାରେ ଇରାନ ଅସ୍ତ୍ରବିରତି ଆରମ୍ଭ କରିବ ଏବଂ ୧୨ ଘଣ୍ଟାରେ ଇସ୍ରାଏଲ ଅସ୍ତ୍ରବିରତି ଆରମ୍ଭ କରିବ। ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ। ଏଥିପାଇଁ ଇସ୍ରାଏଲ ଓ ଇରାନର ସହନଶକ୍ତି, ସାହସ ଓ ବୁଦ୍ଧିମତାକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ। ଏହା ଏପରି ଏକ ଯୁଦ୍ଧ, ଯାହା ବର୍ଷ ବର୍ଷ ଧରି ଚାଲି ପାରିଥାନ୍ତା ଏବଂ ପୂରା ମଧ୍ୟପ୍ରାଚ୍ୟକୁ ଧ୍ୱଂସ କରିଥାଆନ୍ତା। କିନ୍ତୁ ଏମିତି ହେଲା ନାହିଁ କି କେବେ ବି ହେବ ନାହିଁ। ଭଗବାନ ଇସ୍ରାଏଲ, ଇରାନ, ମଧ୍ୟପ୍ରାଚ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକାର ମଙ୍ଗଳ କରନ୍ତୁ”
ସେପଟେ ଟ୍ରମ୍ପଙ୍କ ଘୋଷଣାକୁ ନେଇ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆରାଘଚି କହିଛନ୍ତି ଯେ, ଇସ୍ରାଏଲ ଓ ଇରାନ ମଧ୍ୟରେ ଏଭଳି କୌଣସି ଚୁକ୍ତି ହୋଇନାହିଁ। ଇରାନ ଉପରେ ଯୁଦ୍ଧ ଆରମ୍ଭ କରିଥିଲା ଇସ୍ରାଏଲ। ଇରାନର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ କୌଣସି ଆଗ୍ରହ ନାହିଁ। କିନ୍ତୁ ଇସ୍ରାଏଲର ଆକ୍ରମଣ ଇରାନର ଲୋକଙ୍କ ବିରୋଧରେ ଏକ ଅବୈଧ ଆକ୍ରମଣ। ଯଦି ଭୋର ୪ଟା ସୁଦ୍ଧା (ସ୍ଥାନୀୟ ସମୟ) ଇସ୍ରାଏଲ ତା’ର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରେ, ତାହାଲେ ଆମେ ମଧ୍ୟ ପ୍ରତିକ୍ରିୟାଶୀଳ ହେବୁ ନାହିଁ। ଏହା ପରେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆରାଘଚି କହିଛନ୍ତି।
ସୂଚନାଯୋଗ୍ୟ, ଇସ୍ରାଏଲ ଓ ଇରାନ ମଧ୍ୟରେ ଗତ ୧୨ ଦିନ ଧରି ଯୁଦ୍ଧ ଲାଗି ରହିଛି। ଉଭୟଙ୍କ ପକ୍ଷରୁ ମିଜାଇଲ ଓ ଡ୍ରୋନ ଆକ୍ରମଣ ହେଉଛି। ହେଲେ ଏହାରି ମଧ୍ୟରେ ଆମେରିକାର ଏଣ୍ଟ୍ରି ଏହି ଯୁଦ୍ଧକୁ ଆହୁରି ତୀବ୍ର କରିଥିଲା। ଆମେରିକା ଇରାନର ୩ଟି ପରମାଣୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲା।