ପୁରୀ, ୨୭/୦୬: ରତ୍ନସିଂହାସନରୁ ଓହ୍ଲାଇ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯାଇଥିଲା। ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା। ସକାଳ ୯ଟା ୩୦ରେ ପହଣ୍ଡି ରୀତି ଆରମ୍ଭ ହୋଇଥିଲା। ଗଜପତି ମହାରାଜା ଅପରାହ୍ନ ୨:୩୦ ରୁ ୩:୩୦ ପର୍ଯ୍ୟନ୍ତ ଛେରା ପହଁରା କରିଥିଲେ। ଏହା ପରେ ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟକ୍ରମ। ତେବେ ସବୁ ରୀତିନୀତି ନିର୍ଦ୍ଧାରିତ ସମୟ ଅନୁସାରେ ହୋଇଥିଲେ ମଧ୍ୟ ଶରଧାବାଲିରେ ପହଞ୍ଚି ପାରିନି ରଥ।
ପ୍ରାୟ ୪ଟା ସମୟରେ ପ୍ରଥମେ ତାଳଧ୍ବଜ ଗଡ଼ିଥିଲେ ମଧ୍ୟ ବଳଗଣ୍ଡି ଠାରେ ଅଟକି ରହିଛି। ଏହାର ପ୍ରାୟ ୨ ଘଣ୍ଟା ପରେ ଦର୍ପଦଳନ ଶରଧାବାଲି ଅଭିମୁଖେ ବାହାରିଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଛି। ହେଲେ ସିଂହଦ୍ବାର ସମ୍ମୁଖରେ କାଳିଆ ଠାକୁର ଅଛନ୍ତି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସଂପନ୍ନ ହୋଇଥିଲେ ମଧ୍ୟ ନନ୍ଦିଘୋଷ ରଥଟଣାରେ ବିମ୍ବଳ ହୋଇଥିଲା। ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ। ତେବେ ରଥରେ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହେତୁ ରଥଟଣାରେ ବିଳମ୍ବ ହୋଇଥିଲା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।