ପୁରୀ, ୨୯/୦୬: ଶରଧାବାଲିରେ ଘଟିଯାଇଛି ବଡ଼ ଅଘଟଣ। ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଇଥିବା ଭକ୍ତଙ୍କ ମଧ୍ୟରେ ଦଳାଚକଟାରେ ଚାଲି ଯାଇଛି ୩ଟି ଜୀବନ। ରବିବାର ଭୋର ପ୍ରାୟ ୪.୦୦ ଟା ସମୟରେ ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଦଳାଚକଟା ହେବାରୁ ଦୁଇ ମହିଳା ସମେତ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବୋଲଗଡ଼ର ବାସନ୍ତୀ ସାହୁ (୩୬), ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଘଟଣା ସମୟରେ ୫୦୦ରୁ ଅଧିକ ଭକ୍ତ ପ୍ଲାଷ୍ଟିକ ମ୍ୟାଟ ପକାଇ ବସିଥିଲେ। ସେହି ସମୟରେ ଚାରମାଳ କାଠ ବୋଝେଇ ଏକ ଟ୍ରକ ହଠାତ୍ ଭିଡ଼ ଭିତରକୁ ପଶିଯାଇଥିଲା। ଯାହାଫଳରେ ଦଳାଚକଟାରେ ଘଟଣା ସ୍ଥଳରେ ୫୦ରୁ ଅଧିକ ଆହତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ନଥିବା ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏ ନେଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ସେହିପରି ଡିଜିପି ୱାଇବି ଖୁରାନିଆ ଆଜି ସକାଳେ ପୁରୀ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।