ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ

ଲଇକେରା ବ୍ଲକରେ ସର୍ବାଧିକ ୨୭୦.୪ ମିଲିମିଟର ବର୍ଷା ରେକର୍ଡ

ଝାରସୁଗୁଡା, ୦୭/୦୭(ଦର୍ଶନ ନ୍ୟୁଜ): ଝାରସୁଗୁଡା ଜିଲ୍ଲାରେ ୪ଟି ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଚବିଶ ଘଣ୍ଟା ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ହାରାହାରି ୨୧୮.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଇକେରା ବ୍ଲକରେ ସର୍ବାଧିକ ୨୭୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କିର୍ମିରା ବ୍ଲକରେ ୨୫୫.୩ମି.ମି, କୋଲାବିରା ବ୍ଲକରେ ୨୩୩ ମି.ମି, ଝାରସୁଗୁଡା ବ୍ଲକରେ ୨୧୩.୩ ମି.ମି. ଓ ଲଖନପୁର ବ୍ଲକରେ ୧୨୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜନସାଧାରଣ ଓ ଗୃହପାଳିତ ପଶୁମାନଙ୍କ ସମ୍ଭାବ୍ୟ ସ୍ବାସ୍ଥ୍ୟଗତ ସମସ୍ୟାର ମୁକାବିଲା ସକାଶେ ଡାକ୍ତରୀ ଦଳ ବିଭିନ୍ନ ବ୍ଲକମାନଙ୍କରେ ମୁତୟନ କରାଯାଇଛି । ଲଇକେରା ବ୍ଲକର ରେଙ୍ଗାଳବେଡା ଓ ଠେଲକୋବୁଡ଼ ଗାଆଁରେ ୨ଟି ମେଡିକାଲ ଟିମ ଓ ଗୋଟିଏ ଭେଟେନାରୀ ଟିମ ମୁତୟନ କରାଯାଇଥିବା ବେଳେ ବ୍ରଜରାଜନଗର ପୌରପାଳିକା ଅଞ୍ଚଳରେ ଇଟାଭଟା ଓ ଲାଲା ଲଜପତ ରାୟ ବିଦ୍ୟାଳୟରେ ୨ଟି ମେଡିକାଲ ଟିମ ଓ ଗୋଟିଏ ଭେଟେନାରୀ ଟିମ ମୁତୟନ କରାଯାଇଛି । ସେହିଭଳି କୋଲାବିରା, କିର୍ମିରା, ଲଖନପୁର ବ୍ଳକରେ ଗୋଟିଏ ଲେଖାଏଁ ଭେଟେନାରୀ ଟିମ ମୁତୟନ କରାଯାଇଛି । ଝାରସୁଗୁଡ଼ା ବ୍ଲକରେ ପାଣିଘେରରେ ଥିବା ୩୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଲଇକେରାରେ ୧୮୬ଜଣ ଓ ବ୍ରଜରାଜନଗର ପୌରପାଳିକାରେ ୫୦୦ଜଣଙ୍କୁ ଉଦ୍ଧାର କରାଯାଇଛି ଓ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ଲଇକେରାରେ ୯୩ କେଜି ଚୂଡ଼ା ଓ ୧୫ କେଜି ଗୁଡ଼ ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଇଛି । ବିଭିନ୍ନ ବ୍ଳକରେ ୨୬୨ଟି କଚ୍ଚା ଘର ଓ ୩ଟି ପକ୍କା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଝାରସୁଗୁଡା ବ୍ଲକରେ ତିନିଟି ସ୍ଥାନରେ ୪ କିମି ରାସ୍ତା ଜଳଘେରରେ ଥିବା ବେଳେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । କୋଲାବିରାରେ ତିନିଟି ରାସ୍ତାରେ ୫୦୦ମିଟର ଲମ୍ବର ଫାଟ ସୃଷ୍ଟି ହୋଇଥିବା ବେଳେ ପାଞ୍ଚଟି ସ୍ଥାନରେ ୨କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଲଇକେରାରେ ଛ’ଟି ରାସ୍ତାରେ ୫୦୦ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି ଏବଂ ଆଠଟି ସ୍ଥାନରେ ଆଠ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି । କିର୍ମିରାରେ ୪ଟି ରାସ୍ତାରେ ୧.୨୦ କିମି ଲମ୍ବର ଫାଟ ସୃଷ୍ଟି ହୋଇଛି ଏବଂ ୭ଟି ସ୍ଥାନରେ ୮କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସେହିପରି ଲଖନପୁର ବ୍ଳକରେ ୬ଟି ସ୍ଥାନରେ ୧୦କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଝାରସୁଗୁଡ଼ା ବ୍ଲକରେ ୪ଟି ପଞ୍ଚାୟତର ୭ଟି ଗ୍ରାମ, ଲଇକେରାରେ ୭ଟି ପଞ୍ଚାୟତର ୧୫ଟି, କିର୍ମିରାରେ ୮ଟି ପଞ୍ଚାୟତର ୨୦ଟି ଗ୍ରାମ, ଲଖନପୁରରେ ୪ଟି ପଞ୍ଚାୟତର ୫ଟି ଗ୍ରାମରେ ବର୍ଷା ପାଣି ପଶିଥିବା ବେଳେ ଝାରସୁଗୁଡା ପୌରାଞ୍ଚଳରେ ପୁରୁଣା ବସଷ୍ଟାଣ୍ଡ, ଆନନ୍ଦ ୱାର୍ଲଡ଼ ସାମ୍ନା, ଗୋକୁଲ ବେକେରି ସାମନା, ହଟଲି, ଗାୟତ୍ରୀ ବିହାର, ୱାର୍ଡ଼ ନମ୍ବର ୯ ରେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଓ ମଙ୍ଗଳ ବଜାର ଅଂଚଳ, ବ୍ରଜରାଜନଗର ପୌରାଞ୍ଚଳର ଇଟାଭଟା, ରେଲୱେ ଟନେଲ, ଷ୍ଟେସନ ରୋଡ଼ ଓ ରେମଜା ତଥା ବେଲପାହାଡ଼ ପୌରାଞ୍ଚଳ ଅଧିନସ୍ଥ ଗୋଟିଏ ୱାର୍ଡ଼ରେ ବର୍ଷା ପାଣି ପଶିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ତଦାରଖ ପାଇଁ ଉଚ୍ଚ ପଦାଧିକାରୀମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଲଖନପୁର ବ୍ଲକ, ବ୍ରଜରାଜନଗର ଓ ବେଲପାହାଡ଼ ପୌରପାଳିକା ପାଇଁ ଜିଲ୍ଲାପାଳ, ଝାରସୁଗୁଡ଼ା ପୌରପାଳିକା ଓ ଝାରସୁଗୁଡ଼ା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), କୋଲାବିରା ଓ କିର୍ମିରା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଏବଂ ଲଇକେରା ବ୍ଲକ ପାଇଁ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।