ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା କୁଇଣ୍ଟାଲ ରୂପା ଇଟା
ଅବକାରୀ ଅଧିକାରୀଙ୍କ ଉଡ଼ିଲା ହୋସ୍
ସ୍କର୍ପିଓ ସହ ଦୁଇ ଅଟକ
ସମ୍ବଲପୁର, ୧୦/୦୭: ସମ୍ବଲପୁର ଜିଲାର ରେଙ୍ଗାଲି ଅଞ୍ଚଳରୁ ସାମନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଗାଡ଼ିରୁ ମିଳିଛି କୋଟିଏ ଟଙ୍କାର ରୂପା ବିସ୍କୁଟ। ଅବକାରୀ ବିଭାଗର ଚଢ଼ାଉ ବେଳେ ଶାସନ ଟୋଲଗେଟ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଏକ ସ୍କର୍ପିଓ ଗାଡ଼ିରୁ ୧ କୁଇଣ୍ଟାଲ ୧୦ କେଜି ଓଜନର ରୁପାଇଟା ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଗାଡ଼ି ସହ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ରେଙ୍ଗାଲି ଅଞ୍ଚଳରେ ନିୟମିତ ଭାବେ ଯାଞ୍ଚ କରୁଥିଲା। ସ୍କର୍ପିଓ ଗାଡ଼ିଟି ସନ୍ଦେହଜନକ ଭାବେ ଦେଖାଯିବାରୁ ଗାଡ଼ିର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା। ଯାହା ପରେ ଗାଡ଼ିର ସିକ୍ରେଟ ଚ୍ୟାମ୍ଵରରୁ ପୁଳା ପୁଳା ରୂପା ଇଟା ମିଳିଥିଲା। ଜବତ ହୋଇଥିବା ରୁପାଇଟାର ବଜାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ରୂପା ବିସ୍କୁଟ ରାଞ୍ଚିକୁ ଚାଲାଣ ହୋଇଥିବା ସୂଚନା ମିଳିଛି।