କିଭ, ୧୦/୦୭: ରୁଷ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ବିତିଗଲାଣି ତିନି ବର୍ଷରୁ ଅଧିକ ସମୟ। ଏହାରି ମଧ୍ୟରେ ୟୁକ୍ରେନ ଉପରେ “ସବୁଠାରୁ ବଡ଼” କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ଼ କରିଛି ରୁଷ ବୋଲି ୟୁକ୍ରେନ ଅଭିଯୋଗ କରିଛି।
ୟୁକ୍ରେନର ବାୟୁ ସେନା ଅଭିଯୋଗ କରିଛି ଯେ ରୁଷ ୭୨୮ଟି ଡ୍ରୋନ୍ ଏବଂ ୧୩ଟି କ୍ଷେପଣାସ୍ତ୍ର ମାଡ କରିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ଡ୍ରୋନ୍ ମଧ୍ୟରୁ ୭୧୮ଟିକୁ ଖସାଇ ଦେଇଛି। ପଶ୍ଚିମ ୟୁକ୍ରେନର ଲୁଟସ୍କ ସହର ମେୟର ଇଗୋର ପୋଲିଶଚୁକ୍ କହିଛନ୍ତି ଯେ ଏଥିରେ କାହାରି ମୃତ୍ୟୁ କିମ୍ବା ଆହତ ହେବାର ରିପୋର୍ଟ ନାହିଁ।
ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି କରିବେ ବୋଲି ଘୋଷଣା କରିବା ପରେ ଏହି ଆକ୍ରମଣ ହୋଇଛି।
ଏହି ସମୟରେ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସକି ଅଭିଯୋଗ କରିଛନ୍ତି ଯେ, ରୁଷ ଶାନ୍ତି ଆଲୋଚନାର ସମସ୍ତ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରୁଛି।
