ଭୁବନେଶ୍ୱର, ୧୦/୦୭: ଡ୍ରାଇଭର ସଂଘର ଆନ୍ଦୋଳନ ପାଇଁ ପ୍ରଭାବିତ ହୋଇଛି ହାଣ୍ଡିଶାଳ। ପେଟ୍ରୋଲ ଓ ଡ଼ିଜେଲର ଅଭାବ ଦେଖାଦେବା ପରେ ଏବେ ଘରୋଇ ରନ୍ଧନ ଗ୍ୟାସର ଅଭାବ ଦେଖା ଗଲାଣି। ପେଟ୍ରୋଲ ପରେ ଏବେ ଗ୍ୟାସ ସଙ୍କଟ ସହ ପନିପରିବା ଦର ମଧ୍ୟ ହୁହୁ ହୋଇ ବଢିଲାଣି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି।
ଡିପୋରେ ଗ୍ୟାସ ସରି ଯାଉଥିବା ବେଳେ ଗ୍ୟାସ ବିତରଣ ପାଇଁ ଅଟୋ ଆସୁନାହିଁ। ରାଉରକେଲା, ଖୋର୍ଦ୍ଧା, କଟକ ଓ ଜୟପୁରରେ ଗ୍ୟାସ ସଙ୍କଟ ଦେଖାଗଲାଣି। କିଛି ଡିପୋରେ ଗ୍ୟାସ ବିତରଣ ଅଟୋ ଆସୁନଥିବାରୁ ଗ୍ରାହକଙ୍କୁ ଖାଲି ହାତରେ ଫେରି ଯିବାକୁ ପଡିଛି।
ଅନ୍ୟପଟେ ଗାଡ଼ି ଗଡୁ ନଥିବାରୁ ପନିପରିବା ମଧ୍ୟ ଆସି ପାରୁନାହିଁ। ଯାହା ଫଳରେ ବଜାରରେ ପରିବା ଦର ଆକାଶଛୁଆଁ ହେଲାଣି। ବାଇଗଣ କିଲୋ ୫୦ରୁ ୮୦ ଟଙ୍କା ଥିବା ବେଳେ, ଭେଣ୍ଡି କିଲୋ ୪୦ରୁ ୮୦ ଟଙ୍କା, ଜହ୍ନି ୬୦ରୁ ୧୦୦ ଟଙ୍କା, କଲରା ଓ କାଙ୍କଡ଼ ୮୦ ଟଙ୍କାରେ ବିକ୍ରି ହେଉଛି। ପରିବାର ଏଭଳି ଆକାଶଛୁଆଁ ଦର ଯୋଗୁଁ ରୋଷେଇ ଘରୁ ଉଭାନ ହୋଇଗଲାଣି ପନିପରିବା। ଯଦି ଏପରି ଧର୍ମଘଟ ଲାଗି ରୁହେ, ତାହାଲେ ସ୍ଥିତି ଆଗକୁ ଆହୁରି ସାଂଘାତିକ ହୋଇପାରେ।
ସୂଚନାଯୋଗ୍ୟ, ଡ୍ରାଇଭର ମାନେ ୬ ଦଫା ଦାବି ନେଇ ତିନି ଦିନ ଧରି ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦାବି କରୁଛି ଡ୍ରାଇଭର ସଂଘ। ଡ୍ରାଇଭର ମହାସଂଘର ୬ ଦଫା ଦାବି ମଧ୍ୟରେ ରହିଛି ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ, ଡ୍ରାଇଭରମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା, ଓଡ଼ିଶାର ପ୍ରତ୍ୟେକ ଖଣିଖାଦାନ ଓ କାରଖାନାରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡା ୭୦ ପ୍ରତିଶତ କାମ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବି କରିଛି।