ଭୁବନେଶ୍ୱର, ୧୦/୦୭: ୬ ଦଫା ଦାବି ପୂରଣ ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମହାସଂଘର ଏହି ଆନ୍ଦୋଳନ ଡାକରାରେ ହନ୍ତସନ୍ତ ହୋଇଛନ୍ତି ସାଧାରଣ ଜନତା। ୮ ତାରିଖରେ ପରିବହନ ମନ୍ତ୍ରୀଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରି ନଥିଲା। ଡ୍ରାଇଭର ମାନେ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ରୋକଠୋକ ଶୁଣାଇଥିଲା।
ଡ଼୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଯାତ୍ରୀମାନେ ବସ୍ ଷ୍ଟପରେ ଗାଡ଼ିକୁ ଅପେକ୍ଷା କରି କରି ଆଶା ଛାଡି ଦେଲେଣି। ତେବେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ତୈଳ ପରିବହନ। ପେଟ୍ରୋଲ ଓ ଡିଜେଲ ପର ବହନ ନ ହୋଇ ପାରିବାରୁ ରାଜ୍ୟରେ ତୈଳ ସଙ୍କଟ ଦେଖାଗଲାଣି। ପାରାଦୀପ, ବାଲେଶ୍ଵର, ଜଟଣୀ, ଝାରସୁଗୁଡ଼ା ଆଦି ପେଟ୍ରୋଲ ଡିପୋରେ ତୈଳ ପରିବହନ କରୁଥିବା ଡ୍ରାଇଭର ମାନେ ଆନ୍ଦୋଳନ ଜାରି ରଖିଥିବାରୁ ତୈଳ ପରିବହନ ବନ୍ଦ ରହିଛି।
ଭୁବନେଶ୍ୱର,କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ପେଟ୍ରୋଲ ପମ୍ପ୍ ଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି। ଏପରିକି କିଛି ପେଟ୍ରୋଲ ପମ୍ପରେ ତେଲ ସରିଗଲାଣି। ଅନ୍ୟପଟେ କଟକର ଖାନନଗର ତେଲ ସରିଯିବାରୁ ପେଟ୍ରୋଲ ପମ୍ପ ରେ ତାଲା ପଡିଛି। ଡିପୋରୁ ତେଲ ନ ଆସିବାରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ସରିଗଲାଣି। ଯାହାଫଳରେ ଲୋକମାନଙ୍କୁ ଫେରିଯିବାକୁ ପଡ଼ୁଛି। ଯଦି ଏପରି ପରିସ୍ଥିତି ଲାଗି ରୁହେ ଏବଂ ପେଟ୍ରୋଲ ପମ୍ପରେ ଟ୍ୟାଙ୍କରଗୁଡ଼ିକ ଶୀଘ୍ର ନ ପହଞ୍ଚେ ତେବେ ଗୁରୁତର ଅଭାବ ଦେଖାଦେବାର ଆଶଙ୍କା ରହିଛି।
ତେବେ ଏ ନେଇ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ। ଡ୍ରାଇଭରଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ଭୁବନେଶ୍ବରକୁ ୧୫୦ ତେଲ ଟ୍ୟାଙ୍କର ଆସିଛି। ସେହିପରି କଟକକୁ ୭୬ ତେଲ ଟ୍ୟାଙ୍କର ଆସିଛି। ରାଜ୍ୟରେ ଆବଶ୍ୟକ ପରିମାଣର ତେଲ ଅଛି। ସବୁ ସହରକୁ ତେଲ ଯୋଗାଇ ଦିଆଯିବ। ତେଲର ଯିଏ କଳାବଜାରୀ କରୁଛି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।