ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ବିମାନବନ୍ଦରରେ ଜୋରଦାର ସ୍ୱାଗତ

ଭୁବନେଶ୍ୱର, ୧୧/୦୭: ଭୁବନେଶ୍ୱରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ରାଜ୍ୟର ବିଶିଷ୍ଟ କଂଗ୍ରେସ ନେତା। ଦିନ ୧୧ଟା ୩୦ ସୁଦ୍ଧା ରାହୁଲ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ଭୁବନେଶ୍ୱର ବିମାନବନ୍ଦରରୁ ରାହୁଲ ଗାନ୍ଧୀ ରୋଡ଼ ସୋ କରି କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଯିବେ। ଏହା ପରେ ବରମୁଣ୍ଡା ପଡ଼ିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ। ଏହା ପରେ କଂଗ୍ରେସର ରାଜନୈତିକ ବ୍ୟାପାର କମିଟିରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ।

ରାହୁଲ ଗାନ୍ଧୀଙ୍କ ସମେତ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ମଧ୍ୟ ଭୁବନେଶ୍ୱର ଆସିଛନ୍ତି। ୨୦୨୪ ନିର୍ବାଚନ ପରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୁବନେଶ୍ୱର ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପାଇଁ ୫୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ବିମାନବନ୍ଦରରୁ ବରମୁଡା ସ୍କୋୟାର ଏବଂ କଂଗ୍ରେସ ଭବନ ଏବଂ ମେ ଫେୟାର ହୋଟେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗସ୍ତ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ଏକ କାରକେଡ୍ ଅଭ୍ୟାସ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୪ ଜଣ ଡିସିପି ରାଙ୍କ ଅଧିକାରୀ, ୧୦ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି, ୩୪ ଜଣ ଆଇଆଇସି ଏବଂ ୭୦ ଜଣ ଅନ୍ୟ ବରିଷ୍ଠ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।