ଗୋଟିଏ ବଂଶର ପ୍ରେମୀ ଯୁଗଳଙ୍କୁ ସମାଜର ତାଡ଼ନା

ହଳ କରାଇଲେ ଓ ଉଭୟଙ୍କୁ ଗାଁରୁ ତଡିଲେ

କଙ୍ଗାରୁକୋର୍ଟ ଶୁଣାଇଲା ଦଣ୍ଡ, ମିଳୁନି ଉଭୟଙ୍କ ପତ୍ତା

ରାୟଗଡ଼ା, ୧୧/୦୭: ଏବେବି ବଞ୍ଚି ରହିଛି ପୁରାତନ ପରମ୍ପରା ଓ ତାକୁ ନେଇ ନ୍ୟାୟ ନିଶାବ କରିବାକୁ କଙ୍ଗାରୁ କୋର୍ଟ। ଗୋଟିଏ ବଂଶର ହୋଇ ପ୍ରେମ କରିବା ପଡ଼ିଲା ମହଙ୍ଗା। ପ୍ରେମୀ ଯୁଗଳ ବିଲରେ ହଳ କରିବା ପରେ ତାଡ଼ ଖାଇଲେ। ହେଲେ ଏବେ ଉଭୟଙ୍କ ଆଉ ଖୋଜ ଖବର ନାହିଁ। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ।

ଏହି ଘଟଣା ଘଟିବା ବେଳର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡ଼ିଓରେ ଦେଖା ଦେଇଛି ଯେ, ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଗୋଟିଏ ପୁଅ ଓ ଝିଅକୁ କନ୍ଧରେ ଯୁଆଳି ପକେଇ କ୍ଷେତରେ ତଶିବାକୁ ବାଧ୍ୟ କରାଯାଉଛି। ଉଭୟଙ୍କ ଅନିଚ୍ଛା ସତ୍ତ୍ବେ ଧମକଚମକ ଦେଇ ହଳ କରାଉଛନ୍ତି ଗାଁ ଲୋକେ।

ଏହାର ଅନୁସନ୍ଧାନ କରିବାରୁ ଜଣା ପଡ଼ିଲା ଗାଁ କୁଟୁମ୍ବଙ୍କ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିଏ ବଂଶର ସମ୍ପର୍କରେ ଆତା (ପିଉସୀ ନାନୀ) ଭଣଜା ଅଟନ୍ତି।

ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ। କାରଣ ସେମାନେ ଭାଇ ଭଉଣି କିମ୍ବା ଆତା (ପିଉସୀ ନାନୀ) ଭଣଜା ହୋଇଥାନ୍ତି ଯାହାକି ଗୋଟିଏ ରକ୍ତର ସମ୍ପର୍କ ତେଣୁ ବିବାହ ହୋଇ ପାରିବ ନାହିଁ।

କଞ୍ଜାମାଯୋଡ଼ି ଗାଁର ଲାକ ସାରକା ଓ କୋଡ଼ିଆ ସାରକାଙ୍କ ପ୍ରେମ ସମ୍ପର୍କ ରହିଥିଲା। ଦିନେ ଉଭୟଙ୍କୁ ଏକତ୍ରିତ ଗାଁ ଲୋକେ ଦେଖିଥିଲେ। ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ ଏହି ଦଣ୍ଡ ଶୁଣାଇଥିଲେ ଯାହା ତାଙ୍କ ପରମ୍ପରା ରହିଛି। କେବଳ ଏତିକିରେ ସୀମିତ ନଥିଲା ଉଭୟଙ୍କୁ ଗାଁ ଛାଡ଼ିବାକୁ ପଡ଼ିଲା। ବର୍ତ୍ତମାନ୍ ଏହି ପ୍ରେମୀ ଯୁଗଳ କେଉଁଠାରେ ଅଛନ୍ତି କାହାରିକୁ ଜଣାନାହିଁ। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।