ବାଲେଶ୍ବର ଏଫଏମ ଟ୍ରାଜେଡି: ଏମ୍ସରେ ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ
ଛାତ୍ରୀଙ୍କ ସ୍ୱାସ୍ଥ୍ୟ ତଦାରଖ ପାଇଁ ୮ ଜଣିଆ କମିଟି ଗଠନ କଲା ଏମ୍ସ
ଭୁବନେଶ୍ୱର, ୧୩/୦୭: ଗତ କାଲି ବାଲେଶ୍ଵର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମହୁତି ଉଦ୍ୟମ କରିବା ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାରତ ଅଛନ୍ତି। ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ଏହାରି ମଧ୍ୟରେ ଆଜି ପୀଡ଼ିତା ଛାତ୍ରୀଙ୍କୁ ଭେଟିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ପୀଡ଼ିତା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ।
ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କ ଶରୀର ୯୦ରୁ ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ଆଗାମୀ ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାଳ। ଛାତ୍ରୀଙ୍କ ସ୍ୱାସ୍ଥ୍ୟ ତଦାରଖ ପାଇଁ ଏମ୍ସ ପକ୍ଷରୁ ଏକ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କମିଟି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ତଦାରଖ କରିବେ।
ସୂଚନାଯୋଗ୍ୟ, ଗତ କାଲି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଏବଂ ଏହାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲେ।
ଅଧିକ ପଢନ୍ତୁ: ସହି ପାରିଲେନି ଅଧ୍ୟାପକଙ୍କ ଅକଥନୀୟ ଅତ୍ୟାଚାର: ନିଜକୁ ପେଟ୍ରୋଲ ଢାଳି ଜାଳି ଦେଲେ ଛାତ୍ରୀ