ଭୁବନେଶ୍ୱର, ୧୩/୦୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏମ୍ସ-ଭୁବନେଶ୍ୱର ଗସ୍ତ କରି ଚିକିତ୍ସାଧୀନ ଏଫ୍ଏମ୍ କଲେଜ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୀଡ଼ିତାଙ୍କ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞଙ୍କ ଏକ ଦଳ ଏମ୍ସ ଦିଲ୍ଲୀର ଡାକ୍ତରଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିବେ।
ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି। ଏମ୍ସ ଦିଲ୍ଲୀ ବିଶେଷଜ୍ଞଙ୍କ ସହ ଭର୍ଚୁଆଲ୍ ଭାବରେ ଆଲୋଚନା କରି ତଦନୁସାରେ ଚିକିତ୍ସା ଯୋଗାଇବ। ଆଗାମୀ ୨୪ ଘଣ୍ଟା ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାର ପୀଡ଼ିତା ଏବଂ ତାଙ୍କ ପରିବାରକୁ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।
ବର୍ତ୍ତମାନର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ। ଉଚ୍ଚଶିକ୍ଷା ବିଭାଗର ଏକ ତଦନ୍ତ ଦଳ ବାଲେଶ୍ୱରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।