ବରିଷ୍ଠ ଆଇନଜ୍ଞ ଶିବାନନ୍ଦ ରାୟ ପାଇବେ ଗଙ୍ଗାଧର ମହପାତ୍ର ସମ୍ମାନ-୨୦୨୫

ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ସଭାପତିଙ୍କ ଦ୍ୱାରା ସୂଚନା

ଭୁବନେଶ୍ଵର, ୧୩/୦୭: ବରିଷ୍ଠ ଆଇନଜୀବି, ଭୁବନେଶ୍ୱର ବାର ଆସୋସିଏସନର ପୂର୍ବତନ ସଭାପତି, ସମାଜସେବୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଶିବାନନ୍ଦ ରାୟଙ୍କୁ ଚଳିତବର୍ଷର ଗଙ୍ଗାଧର ମହାପାତ୍ର ସମ୍ମାନ- ୨୦୨୫, ଆସନ୍ତା ୧୪ ତାରିଖ ସୋମବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ନୂତନ ସଭାଗୃହରେ ପ୍ରଦାନ କରାଯିବ ବୋଲି ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟର ସ୍ଥାୟୀ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଗତ ୩୦ ବର୍ଷ ଧରି ଏହି ସମ୍ମାନ ଓଡ଼ିଶାର ବରିଷ୍ଠ ଓ ବିଶିଷ୍ଟ ଓକିଲମାନଙ୍କୁ ଦିଆଯାଇଥାଏ । ପୂର୍ବରୁ ଗଙ୍ଗାଧର ରଥ, ଗୋବିନ୍ଦ ଦାସ, ଭୂପେନ ଚନ୍ଦ୍ର ବୋଷ, ବସନ୍ତ ପାଣିଗ୍ରାହୀ, ପ୍ରଫୁଲ୍ଲ ବହିଦାର, କୌସିକ୍ ସାହୁ, ମନୋରଞ୍ଜନ ମହାନ୍ତି, ରବିନ୍ଦ୍ର ନାଥ ମହାନ୍ତି, ମୁଜିବିର ରହମାନ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ବୈଠକରେ ସୀତାବଲ୍ଲଭ ମହାପାତ୍ର, ପ୍ରଜ୍ଞାରାଜ ପ୍ରଧାନ, ଓକିଲ ଶୀଳଭଦ୍ର ଶାସ୍ତ୍ରୀ, ଓକିଲ ଶାନ୍ତନୁ କୁମାର ସାହୁ, ଓକିଲ ସନତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

୧୪ ତାରିଖ ସୋମବାର ବୁଦ୍ଧ ମନ୍ଦିର ନୂତନ ସଭାଗୃହରେ ହେବାକୁ ଥିବା ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଅଧ୍ୟାପ ବିଶ୍ଵରଞ୍ଜନ ପ୍ରମୁଖ ଯୋଗଦେବେ ବୋଲି ଡଃ ଜ୍ଞାନେନ୍ଦ୍ରଙ୍କ ସୂତ୍ରରୁ ପ୍ରକାଶ ।