ଆତ୍ମାହୁତି ଉଦ୍ୟମ ପୂର୍ବରୁ ଗଣମାଧ୍ୟମରେ ଏଚଓଡିଙ୍କ କଳା କାରନାମା ଚିଠା ଖୋଲିଥିଲେ ପୀଡ଼ିତା

ଦୀର୍ଘ ୮ ମାସ ଧରି ମାନସିକ ନିର୍ଯ୍ୟାତନା ଦେଉଥିଲେ ଏଚଓଡି

ସୋସିଆଲ ମିଡ଼ିଆରେ ନ୍ୟାୟ ମାଗିଥିଲେ ବି କାହିଁକି ଚୁପ୍ ବସିଥିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୩/୦୭: ଫକୀରମୋହନ ବିଶ୍ବବିଦ୍ୟାଳୟରେ ଘଟିଥିବା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି। ନ୍ୟାୟ ନ ମିଳିବାରୁ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେ ମଧ୍ୟ କିପରି ତାଙ୍କୁ ନ୍ୟାୟ ମିଳିଲା ନାହିଁ ଏବଂ ଦିନକୁ ଦିନ ନିର୍ଯାତନା ବଢ଼ିବାରେ ଲାଗିଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଚଓଡିଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ କଲେଜ ତରଫରୁ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ନ ଯୋଗାଇ ଦେବାରୁ ରାଜ୍ୟ ସରକାରଙ୍କୁ ଏକ୍ସରେ ଜଣାଇଥିଲେ ପୀଡ଼ିତା ଛାତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟ୍ୟାଗ କରି ଏକ୍ସରେ ନ୍ୟାୟ ଭିକ୍ଷା କରିଥିଲେ ପୀଡ଼ିତା। କିନ୍ତୁ ତାଙ୍କ ଅଭିଯୋଗକୁ କେହି ଦୃଷ୍ଟି ଆକର୍ଷଣ କରିନଥିଲେ। ଏପରିକି ଗତ କିଛି ଦିନ ପୂର୍ବରୁ ଗଣମାଧ୍ୟମରେ ଏଚଓଡିଙ୍କ କଳାକାରନାମାର ଚିଠା ଖୋଲିଥିଲେ।

ପୀଡ଼ିତା ଛାତ୍ରୀ କହିଥିଲେ ଯେ, ଦୀର୍ଘ ୮ ମାସ ଧରି ଏଚଓଡି ତାଙ୍କୁ ହଇରାଣ ହରକତ କରୁଥିଲେ। ଘର ଲୋକଙ୍କୁ ଫୋନ୍ କରି ସେ ରିଲ୍ସ ଓ ବ୍ଲଗ୍ସ କରୁଥିବା କଥା ଜଣାଇଥିଲେ। ପରିବାର ଲୋକଙ୍କୁ ଝିଅ ପାଠ ପଢୁନଥିବା କଥା କହିଥିଲେ। ବ୍ୟାକ୍ ପେପର କ୍ଲିୟର କରିବା ପାଇଁ ଫେଭର ମାଗିଥିଲେ ଏଚଓଡି। ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ମଧ୍ୟ ଅନୁମତି ଦେଲେନି। ଏହା ସହ ଡାଉଟ କ୍ଲାସରେ ଯେତେବେଳେ ପୀଡ଼ିତା ପାଠ ସଂକ୍ରାନ୍ତୀୟ ପ୍ରଶ୍ନ ପଚାରିଥିଲେ, ସେତେବେଳେ ଏଚଓଡି ଆହୁରି ଧମକ ମଧ୍ୟ ଦେଇଥିଲେ ଯେ, ଯେପର୍ଯ୍ୟନ୍ତ ମୁଁ ଅଛି, ସେପର୍ଯ୍ୟନ୍ତ ତୋର ବ୍ୟାକ ଲାଗିବ ଏବଂ ତୁ ପରୀକ୍ଷାରେ ପାସ୍ ହୋଇ ପାରିବୁ ନାହିଁ। ଏଥିରେ ଅତିଷ୍ଠ ହୋଇ ସେ ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ କୌଣସିମତ୍ତେ ବଞ୍ଚି ଯାଇଥିଲେ। କିନ୍ତୁ ଏଥର ରକ୍ଷା ପାଇନଥିଲେ।

ଜୁଲାଇ ୧ ତାରିଖରେ ଛାତ୍ରୀ ଲିଖିତ ଅଭିଯୋଗ କରିଥିଲେ। ହେଲେ କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଇଣ୍ଟରନାଲ କମିଟି ହାତରେ ତଦନ୍ତକୁ ଛାଡି ଦେଇଥିଲା ପୋଲିସ। ଯାହା ଫଳରେ ହତାସ ହୋଇ ଛାତ୍ରୀ ଜଣକ ଏଭଳି ନିଷ୍ପତ୍ତି ନେଲେ।

ଏଥିରୁ ପ୍ରଶ୍ନ ଉଠୁଛି ଯେ, ଯଦି ପୀଡ଼ିତା ବାରମ୍ବାର ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କୁ ନ୍ୟାୟ ମାଗିଥିଲେ, କାହିଁକି ତାଙ୍କୁ ଅଣଦେଖା କରା ଯାଇଥିଲା। ଅଭିଯୋଗ ପରେ ବି କାହିଁକି ତାଙ୍କ କଥାକୁ ଗୁରୁତର ସହ ନିଆ ଗଲା ନାହିଁଁ। ଏହି ଘଟଣା ଉପରେ ଯଦି ସେତିକି ଦୃଷ୍ଟି ଦିଆ ଯାଇଥାନ୍ତା ତାହାଲେ, ହୁଏତ ଆଜି ଛାତ୍ରୀ ଜଣଙ୍କ ଏଭଳି ପଦକ୍ଷେପ ନେଇ ନଥାନ୍ତେ।