ଛାତ୍ରୀଙ୍କୁ ଅସଦାଚରଣ: ଅଧ୍ୟାପକଙ୍କୁ ନିଲମ୍ବିତ କଲା ଉଚ୍ଚଶିକ୍ଷା ବିଭାଗ

ଗିରଫ କରିଥିଲା ମହିଳା ଥାନା ପୋଲିସ

ସମ୍ବଲପୁର, ୧୭/୦୭: ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟରେ ଗତ ୧୨ ତାରିଖରେ ଜଣେ ଛାତ୍ରୀ ଆତ୍ମଦାହ ଘଟଣାରେ ସାରା ରାଜ୍ୟ ବର୍ତ୍ତମାନ ଜଳୁଛି। ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଆଜି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଧ୍ୟାପକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ।

ଉଚ୍ଚଶିକ୍ଷା ବିଭାଗ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଗିରଫ ଅଧ୍ୟାପକ ଗୋପୀକାନ୍ତ ସୁନାଙ୍କୁ ସସପେଣ୍ଡ୍ କରିଛି। ସେ ଅସଦାଚରଣ ମାମଲାରେ ଗୁରୁବାର ଗିରଫ ହୋଇଥିଲେ। ଜଣେ ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଛି। ତେବେ ୪ ମାସ ତଳୁ ଉକ୍ତ ଅଧ୍ୟାପକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ହେଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। କିନ୍ତୁ ଏଫଏମ ୟୁନିଭର୍ସିଟି ଛାତ୍ରୀଙ୍କ ଆତ୍ମଦାହ ପରେ ତତ୍ପରତା ଦେଖାଇଛି ଉଚ୍ଚଶିକ୍ଷା ବିଭାଗ।