ଲ୍ୟାଣ୍ଡିଂ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ

ସବୁ ଯାତ୍ରୀ ମୃତ

ମସ୍କୋ, ୨୪/୦୭: ରୁଷର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନରେ ଥିବା ସବୁ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବିମାନରେ ମୋଟ ୪୯ ଜଣ ଲୋକ ଥିଲେ, ସୋମବାର ଦିନ ରୁଷର ପୂର୍ବାଞ୍ଚଳରେ ଚୀନ୍ ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଉଡ଼ାଣ ବେଳେ ବିମାନ ନିୟନ୍ତ୍ରଣ କେନ୍ଦ୍ର ସହିତ ବିମାନର ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ଏହାର କିଛି ମିନିଟ୍ ପରେ ଉଦ୍ଧାରକାରୀମାନେ ବିମାନ ଜଳୁଥିବାର ଦେଖିବାକୁ ପାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଠିକ୍ ଭାବରେ ଦେଖା ଯାଉନଥିବ ବେଳେ ଲ୍ୟାଣ୍ଡିଂ କରିଥିବାରୁ ପାଇଲଟ୍‌ଙ୍କ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ।

ସ୍ଥାନୀୟ ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ସାଇବେରିଆ ଭିତ୍ତିକ ଆଙ୍ଗାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଆଣ୍ଟୋନୋଭ୍ ଏନ୍-୨୪ ବିମାନ ଟିଣ୍ଡା ବିମାନବନ୍ଦରରେ ପ୍ରଥମ ଲ୍ୟାଣ୍ଡିଂ ପରେ ଦ୍ୱିତୀୟ ଲ୍ୟାଣ୍ଡିଂ ଚେଷ୍ଟା କରୁଥିବା ସମୟରେ ରାଡାରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଏହି ବିମାନଟି ସୋଭିଏତ୍ ଯୁଗର ଥିଲା ଏବଂ ପ୍ରାୟ ୫୦ ବର୍ଷ ପୁରୁଣା ଥିଲା, ଏବଂ ଏହାର ଟେଲ୍ ନମ୍ବର ଦର୍ଶାଉଛି ଯେ ଏହା ୧୯୭୬ ମସିହାରେ ନିର୍ମିତ ହୋଇଥିଲା।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ହେଲିକପ୍ଟରରୁ ରେକର୍ଡ ହୋଇଥିବା ଏହି ଦୁର୍ଘଟଣାର ଏକ ଭିଡିଓ ସାମନାକୁ ଆସିଛି। ଯେଉଁଥିରେ ଦେଖା ଦେଇଛି ଯେ, ବିମାନର ଭଗ୍ନାବଶେଷ ଏକ ଘନ ଜଙ୍ଗଲ ଅଞ୍ଚଳରେ ପଡ଼ିଛି।

ଆଞ୍ଚଳିକ ଗଭର୍ଣ୍ଣର ଭାସିଲି ଓର୍ଲୋଭ୍ କହିଛନ୍ତି ଯେ ପ୍ରାଥମିକ ତଥ୍ୟ ଅନୁଯାୟୀ, ବିମାନରେ ୪୩ ଜଣ ଯାତ୍ରୀ ଥିଲେ, ଯେଉଁଥିରେ ପାଞ୍ଚ ଜଣ ଶିଶୁ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ।

ଗତ ବର୍ଷ ସେପ୍ଟେମ୍ବରରେ, ଏକ ରବିନସନ୍ ଆର୬୬ ହେଲିକପ୍ଟର ଏହି ଆମୁର ଅଞ୍ଚଳରେ ନିଖୋଜ ହୋଇଯାଇଥିଲା। ଏଥିରେ ତିନି ଜଣ ଲୋକ ଥିଲେ। ଏହି ଅଞ୍ଚଳଟି ମସ୍କୋଠାରୁ ପ୍ରାୟ ୬,୬୦୦ କିଲୋମିଟର ପୂର୍ବରେ ଅବସ୍ଥିତ।