ତେହେରାନ, ୨୬/୦୭: ଶନିବାର ସକାଳେ ଇରାନର ଦକ୍ଷିଣ-ପୂର୍ବ ସହର ଜାହେଦାନରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଶନିବାର ସକାଳେ କିଛି ଅଜ୍ଞାତ ବନ୍ଧୁକଧାରୀ ପ୍ରାଦେଶିକ ନ୍ୟାୟିକ ମୁଖ୍ୟାଳୟ ଉପରେ ଗୁଳି ଚଳାଇବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଇରାନର ମେହର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସିସ୍ତାନ ଏବଂ ବେଲୁଚିସ୍ତାନ ପ୍ରଦେଶର କୋର୍ଟ ପରିସରରେ ସକାଳେ ଆକ୍ରମଣ ହୋଇଥିଲା। ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀମାନେ ହଠାତ୍ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ଜାହେଦାନ ସହର ଇରାନର ଅଶାନ୍ତ ସିସ୍ତାନ ଏବଂ ବେଲୁଚିସ୍ତାନ ପ୍ରଦେଶ ମଧ୍ୟରେ ଅବସ୍ଥିତ, ଯେଉଁଠାରେ ପ୍ରାୟତଃ ଆତଙ୍କବାଦୀ ଘଟଣା ଘଟେ।
ଫାଇରିଂ ସମୟରେ କୋର୍ଟ ପରିସରକୁ ତୁରନ୍ତ ଖାଲି କରାଯାଇଥିଲା। ଘଟଣା ଜଣାପଡିବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସୁରକ୍ଷା ବାହିନୀର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଏକ ସର୍ଚ୍ଚ ଅପରେସନ୍ କରାଯାଉଛି।
ଜୈଶ ଅଲ-ଆଦଲ ନାମକ ଏକ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ସଂଗଠନ ପୂର୍ବରୁ ଅନେକ ଥର ଇରାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି। ଜୈଶ ଅଲ-ଆଦଲ ଏକ ବାଲୁଚ୍ ଜିହାଦୀ ଗୋଷ୍ଠୀ, ଯାହା ପାକିସ୍ତାନରେ ଅବସ୍ଥିତ କିନ୍ତୁ ଇରାନରେ ମଧ୍ୟ ସକ୍ରିୟ ଅଛି।