ବାରବାଙ୍କି, ୨୮/୦୭: ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଅବସ୍ଥିତ ଅବସାନେଶ୍ବର ଶିବ ମନ୍ଦିରରେ ସୋମବାର ଭୋର ପ୍ରାୟ ୩ଟା ବେଳେ ଏକ ବଡ ଅଘଟଣ ଘଟିଛି। ଶ୍ରାବଣ ମାସ ସୋମବାର ଜଳାଭିଷେକ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଦଳାଚକଟାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କିଛି ମାଙ୍କଡ଼ ଉପରେ ଲାଗିଥିବା ଓଭରହେଡ଼ ବିଜୁଳି ତାର ଉପରେ ଡେଉଁଥିଲେ, ଯାହାଫଳରେ ତାର ଛିଣ୍ଡି ଟିଣ ଛାତ ଉପରେ ଖସି ପଡ଼ିଥିଲା। ଟିଣ ଛାତ ଉପରେ ଉଚ୍ଚ ଭୋଲଟେଜ ବିଜୁଳି ତାର ଖସି ପଡ଼ିବାରୁ ଦର୍ଶନ ପାଇଁ ଜମା ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ଓ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଯାହା ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ଲୋନିକାତ୍ରା ଥାନା ଅନ୍ତର୍ଗତ ମୁବାରକପୁର ଗ୍ରାମର ପ୍ରଶାନ୍ତ (୨୨) ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ଜଣଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ। ତ୍ରିବେଦୀଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଛି।
ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପୋଲିସ ଆହତ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ସହାୟତା ଯୋଗାଇବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।