ହିନ୍ଦୋଳ, ୩/୮: ସାରା ଭାରତବର୍ଷରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ହାତୀ ଆକ୍ରମଣଜନିତ ମୃତ୍ୟୁରେ ହୋଇଛି ପ୍ରଥମ। କିନ୍ତୁ ସରକାର ନିରବଦ୍ରଷ୍ଟା ସାଜି ଜନଜୀବନକୁ ମୃତ୍ୟୁ ମୁଖରେ ଛାଡି ଦେଇଥିବା ବେଳେ ବନବିଭାଗ ସ୍ଥାଣୁ ପାଲଟିଛି। ଦୈନନ୍ଦିନ ହାତୀ ଆକ୍ରମଣରେ ଅନେକ ଜନଜୀବନ ହାନୀ ହେଉଥିଲେ ମଧ୍ୟ ସରକାର ଓ ବନବିଭାଗ କୌଣସି ସ୍ଥାୟୀ ପ୍ରତିକାର ନକରି କ୍ଷତିପୂରଣ ମିଳୁଛି କହି ନିର୍ବାଚିତ ଜନପ୍ରତିନିଧି ଓ ବଡବଡିଆ ସରକାରୀ କର୍ମଚାରୀ ନିଜର ରାଜକୋଷ ବୃଦ୍ଧିରେ ଲାଗିପଡିଛନ୍ତି। ଯାହାକି ଜନଅସନ୍ତୋଷ ବୃଦ୍ଧିର କାରଣ ଏବଂ ଏହା କେତେବେଳେ ଯେ ବିସ୍ପୋରଣ ହେବ କହିହେବନି।
ତେବେ ଖବରରୁ ପ୍ରକାଶ ଦୁଇଦିନ ତଳେ ନୂଆବଗ ଜିପିର ବାଗଧରିଆରେ ୩ଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଦୁଖଃଦ ଘଟଣା ନଲିଭୁଣୁ ଆଜି ମହାଲୁଣ୍ଡା ପଂଚାୟତ ଟାଙ୍ଗୀଶାଳ ଗ୍ରାମର ମୂଳିଆ ସାମଲଙ୍କ ପୁଅ ସୁଧାକର ସାମଲ (୬୫)ଙ୍କୁ ଗାଁ ମୁଣ୍ଡରେ ଦନ୍ତାହାତୀ ବିଭତ୍ସ ଭାବରେ ମାରିଛି। ମାତ୍ର ବନବିଭାଗ, ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ଦର୍ଶନ ନାହିଁ ଯାହା ଜନସାଧାରଣଙ୍କୁ ବ୍ୟଥିତ କରିଛି। ତେବେ ଗତ ଘଟଣାରେ ହିନ୍ଦୋଳ ରେଞ୍ଜର, ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଥିବାବେଳେ ବଡ଼ବଡ଼ିଆଙ୍କୁ କାହିଁକି ସରକାର ଛାଡି ଦେଉଛନ୍ତି ବୋଲି ଉଠିଛି ପ୍ରଶ୍ନ? ହିସାବରୁ ଜଣାପଡିଛି ଚଳିତ ବର୍ଷ ହାତୀ ଆକ୍ରମଣରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ମୃତ୍ୟୁ ଘଟିଥିବା ବେଳେ ସରକାର କେବଳ କ୍ଷତିପୂରଣ ଦେଇ ଚୁପ ବସିଛି ମାତ୍ର ସ୍ଥାୟୀ ପ୍ରତିକାର କରୁନାହିଁ। ତେବେ ହାତୀ ମଣିଷର ଲଢେଇ ମୃତ୍ୟୁ ରୋକିବା ପାଇଁ ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।