ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ଭେଟିଲେ ପ୍ରାକ୍ତନ ସାଂସଦ
ହିନ୍ଦୋଳ ବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଦାବି
ହିନ୍ଦୋଳ, ୩/୮: ଗତ ୧ ତାରିଖ ସନ୍ଧ୍ୟାରେ ନିଜ ଚାଷ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଟାଙ୍ଗିଶାଳ ଗ୍ରାମର ସୁଧାକର ସାମଲ। ହାତୀଟି ଅତି ନୃଶଂସ ଭାବେ ସୁଧାକରଙ୍କ ଦେହରୁ ମୁଣ୍ଡକୁ ଅଲଗା କରିଦେଇଥିଲା। ଏ ଖବର ପାଇ ଢେଙ୍କାନାଳର ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ମାହାଲୁଣ୍ଡା ପଞ୍ଚାୟତର ଟାଙ୍ଗିଶାଳ ଗ୍ରାମକୁ ଯାଇ ଶୋକସନ୍ତପ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ, ମାହାଲୁଣ୍ଡାର ଯୁବ ନେତା ବାପି ଆଚାର୍ଯ୍ୟ, ପପୁ ସାହୁ ପ୍ରମୁଖ ପ୍ରାକ୍ତନ ସାଂସଦ ଶ୍ରୀ ମହେଶ ସାହୁଙ୍କ ସହ ଶୋକ ସନ୍ତପ୍ତ ପରିବାରକୁ ଭେଟିଥିଲେ।
ହିନ୍ଦୋଳରେ ବାରମ୍ବାର ହାତୀ ଆକ୍ରମଣର ଶିକାର ହୋଇ ଧନ ଜୀବନ ନଷ୍ଟ ହେଉଥିବାରୁ ଶ୍ରୀ ସାହୁ ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରି ହିନ୍ଦୋଳ ବାସୀଙ୍କ ସୁରକ୍ଷାକୁ ପ୍ରଥମିକତା ଦେବାକୁ ଦାବି କରିଛନ୍ତି ।