ସ୍ବାମୀଜୀଙ୍କ ବଳିଦାନ ବ୍ୟର୍ଥ ଯିବନି: ମନମୋହନ

‘ସେ ଜଣେ ଅଦ୍ବିତୀୟ ସାଧୁ ଥିଲେ, ତାଙ୍କ ପ୍ରେରଣାରେ ଦେଶ ଆଗକୁ ଯିବ’

କନ୍ଧମାଳ, ୧୪/୮: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ରାଜ୍ୟ ସଭାପତି ମନମୋହନ ସାମଲ। ବଳିଦାନ ଦିବସ ପୂର୍ବରୁ ତୁମୁଡ଼ିବନ୍ଧ ଜଳେଶପଟା ସଂସ୍କୃତ କନ୍ୟାଶ୍ରମରେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମନମୋହନ। ଏହା ପରେ ଆଶ୍ରମ ପରିସରରେ ଅଖଣ୍ଡ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ତେବାସୀଙ୍କୁ ଉଦବୋଧନ ଦେଇଥିଲେ ।

ଏହି ଅବସରରେ ସେ କହିଛନ୍ତି, ସମାଜ ସଂସ୍କାର ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ତାଙ୍କ ଜୀବନକୁ ବଳିଦାନ ଦେଇଥିଲେ। ସ୍ବାମୀଜୀଙ୍କ ବଳିଦାନ ବ୍ୟର୍ଥ ଯିବନି। ସେ ଜଣେ ଅଦ୍ବିତୀୟ ସାଧୁ ଥିଲେ, ତାଙ୍କ ପ୍ରେରଣାରେ ଦେଶ ଆଗକୁ ଯିବ।

ମନମୋହନ ତାଙ୍କ ଗସ୍ତ ନେଇ ଏକ୍ସରେ କହିଛନ୍ତି, “ଆଜି କନ୍ଧମାଳ ଜିଲ୍ଲାର ଜଲେଶପଟ୍ଟା ସ୍ଥିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ କନ୍ୟାଶ୍ରମ ବେଦ ବିଦ୍ୟାଳୟ ଓ ସଂସ୍କୃତ ବିଦ୍ୟାଳୟ ଗସ୍ତ କରି ଅତ୍ୟନ୍ତ ଆନନ୍ଦିତ ହେଲି।

ଏହି ଅବସରରେ ଆଶ୍ରମର ଅନ୍ତେବାସୀ ଓ ଛାତ୍ରୀମାନଙ୍କ ସହ ଭାରତ ବିଭାଜନ ଓ ଏହାର ଭୟାଭୟତା ସମ୍ପର୍କରେ ଆଲୋଚନା କଲି। ଏହି ଅବସରରେ ଆଶ୍ରମର ପୂଜ୍ୟ ସ୍ବାମୀ ଶ୍ରୀ ଜୀବନ ମୁକ୍ତାନନ୍ଦ ସରସ୍ୱତୀ, ବିଜେପି ରାଜ୍ୟ ସମ୍ପାଦକ ସରୋଜ କର, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।”