ମୁଁ ବିକି ଦେଇଛି ମୋ ପ୍ରାଣ ଘନଶ୍ୟାମଙ୍କୁ….
ଡକ୍ଟର ଚିତ୍ତରଞ୍ଜନଙ୍କ ନୃତ୍ୟରେ ବିମୁଗ୍ଧ ସାଧୁସନ୍ଥ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୪/୮: “ମୁଁ ବିକି ଦେଇଛି ମୋ ପ୍ରାଣ ଘନଶ୍ୟାମଙ୍କୁ, ଆସିଲେ ନ ଆସୁ ପଛେ କାହା ମନକୁ” ସଙ୍ଗୀତର ଭାବମୟ ଓଡିଶୀ ନୃତ୍ୟରେ ଡକ୍ଟର ଚିତ୍ତରଞ୍ଜନଙ୍କ ନୃତ୍ୟରେ ବିମୋହିତ ଦର୍ଶକ। ସାରା ଭାରତବର୍ଷର ସହସ୍ରାଧିକ ସାଧୁସନ୍ଥ ମନ୍ତ୍ରମୁଗ୍ଧ କରତାଳି ସହ ଛିଡ଼ା ହୋଇ ଆଶୀର୍ବାଦ ଢାଳିଦେଉଥାନ୍ତି ବିଶିଷ୍ଟ ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ସାହିତ୍ୟର ବରିଷ୍ଠ ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ଭାବମୟ ଓଡିଶୀ ନୃତ୍ୟ ପ୍ରଦର୍ଶନରେ। ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀଲ ସ୍ଵାମୀ ପ୍ରଭୁପାଦଙ୍କ ଏକସହ ଏକାବନତମ ସ୍ବନକ୍ଷତ୍ର ଦିବସରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ସହସ୍ରାଧିକ ଭକ୍ତ ସାଧୁସନ୍ଥ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ, ଗୌଡ଼ୀୟ ମିଶନର ଆଚାର୍ଯ୍ୟ ମୁଖ୍ୟ ସ୍ଵାମୀ ଶ୍ରୀ ଭକ୍ତି ସୁନ୍ଦର ସନ୍ୟାସୀ, ବରିଷ୍ଠ ସଂଯୋଜକ ଭାରତୀ ମହାରାଜ ଡକ୍ଟର ଚିତ୍ତରଞ୍ଜନଙ୍କ ନୃତ୍ୟର ଭୂୟସୀ ପ୍ରଶଂସା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୃତ୍ୟ ଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ସମ୍ମିଳନୀ ସ୍ମାରକୀ ପ୍ରଦାନ କରି ସମ୍ମାନିତ କରିଥିଲେ। ଡକ୍ଟର ଚିତ୍ତରଞ୍ଜନ ଜାତୀୟ, ଆନ୍ତର୍ଜାତୀୟ ମଞ୍ଚ ଓ ପାକିସ୍ତାନରେ ମଧ୍ୟ ବହୁବାର ନୃତ୍ୟ ପରିବେଷଣ କରିଛନ୍ତି। କୈଶୋର ବୟସରୁ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ଠାରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ଦୋଳ ଓ ଝୁଲଣ ଯାତ୍ରାରେ ଦୀର୍ଘ ବର୍ଷ ହେବ ନୃତ୍ୟସେବା କରି ଆସୁଥିବା ବେଳେ ମହାପ୍ରଭୁଙ୍କ ପବିତ୍ର ଶେଷ ଦୁଇ ଥର ନବକଳେବରରେ ଚତୁର୍ଦ୍ଧା ବିଗ୍ରହଙ୍କ ଦାରୁ ଯାତ୍ରାରେ ନିରନ୍ତର ନୃତ୍ୟସେବା କରିଥିଲେ। ଏହା ସହ କଟକସ୍ଥିତ ନୃତ୍ୟାନୁଷ୍ଠାନ “ନୃତ୍ୟଶାଳା ସଂସ୍କୃତି କେନ୍ଦ୍ର”ର ପ୍ରତିଷ୍ଠାତା ସମ୍ପାଦକ ଭାବେ ଓଡିଶୀନୃତ୍ୟର ପ୍ରଚାର ପ୍ରସାର କରି ଆସିବା ସହ ହାଇଟେକ ବିଜ୍ଞାନ ମହାବିଦ୍ୟାଳୟ, ଭୁବନେଶ୍ବରର ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଭାବେ ସହସ୍ରାଧିକ ବିଦ୍ୟାର୍ଥୀ ସୃଷ୍ଟି କରୁଛନ୍ତି।