ଗୁରୁଗ୍ରାମ, ୧୭/୮: ପୁଣି ଚର୍ଚ୍ଚାରେ ବିବାଦୀୟ ୟୁଟ୍ୟୁବର ତଥା ୨୦୨୩ ବିଗ୍ ବସ୍ ବିଜେତା ଏଲଭିଶ ଯାଦବ। କେତେବେଳେ ରେଭ ପାର୍ଟିରେ ସାପ ବିଷର ବ୍ୟବହାର ତ କେତେବେଳେ ଫ୍ୟାନ୍ସଙ୍କୁ ମାଡ ମାରି ଆଉ କେତେବେଳେ ସୋସିଆଲ ମିଡିଆରେ ଧମକ ଦେଇ ମଧ୍ୟ ବିବାଦରେ ରହିଥାନ୍ତି। କିନ୍ତୁ ଏଥର ତାଙ୍କ ଘର ଉପରକୁ ଗୁଳିଚାଳନା ହୋଇଛି।
ରବିବାର ସକାଳେ ୟୁଟ୍ୟୁବର ଏବଂ ବିଗ୍ ବସ୍ ବିଜେତା ଏଲଭିଶ ଯାଦବଙ୍କ ଗୁରୁଗ୍ରାମସ୍ଥିତ ବାସଭବନ ବାହାରେ କିଛି ମୁଖା ପିନ୍ଧା ଦୁବୃର୍ତ୍ତ ଗୁଳି ଚଳାଇଥିଲେ। ଆଜି ସକାଳ ୫ଟା ୩୦ରୁ ୬ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ତିନି ଜଣ ବାଇକ୍ ଆରୋହୀ ସେକ୍ଟର ୫୭ ସ୍ଥିତ ଏଲଭିଶଙ୍କ ଘରେ ୨୫ରୁ ୩୦ ରାଉଣ୍ଡ ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଘଟଣା ଘଟିବା ସମୟରେ ଏସଭିଶ୍ ଘରେ ନଥିବା ବେଳେ ତାଙ୍କ ପରିବାର ଲୋକେ ଏବଂ କିଛି କେୟାରଟେକର ଥିଲେ। କିନ୍ତୁ କୌଣସି ଆହତ ହୋଇଥିବାର ସୂଚନା ମିଳିନାହିଁ।
ଏହି ଘଟଣା ପଛରେ ସୋସିଆଲ୍ ମିଡିଆରେ ଭାଉ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ବିଦେଶରେ ରହୁଥିବା ଦୁଇ ଗ୍ୟାଙ୍ଗଷ୍ଟାର ହିମାଂଶୁ ଭାଉ ଏବଂ ନୀରଜ ଫରିଦପୁରିଆ ଏଲଭିଶଙ୍କ ଘରେ ଉପରକୁ ଆକ୍ରମଣ କରିଥିବା ନିଜକୁ ଦାୟୀ କରିଛନ୍ତି। ଏଲଭିଶ ବେଆଇନ ବେଟିଂ ଆପ୍ ପ୍ରଚାର କରୁଥିବାରୁ ଆକ୍ରମଣ କରାଯାଇଥିଲା ବୋଲି ଗ୍ୟାଙ୍ଗଷ୍ଟର୍ସ କହିଛନ୍ତି।