ବାଦଲଫଟା ବର୍ଷାକୁ ଭୂସ୍ଖଳନ; ଜନଜୀବନ ଅସ୍ତବ୍ୟସ୍ତ

୭ ମୃତ, ଏକାଧିକ ଆହତ; ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ କାଶ୍ମୀର, ୧୭/୮: ଜମ୍ମୁ ଏବଂ କାଶ୍ମୀରର କାଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଦୁଇଟି ପୃଥକ ଘଟଣାରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଞ୍ଚ ଜଣ ଆହତ ହୋଇଛନ୍ତି।

ଯୋଧ ଘାଟି ଅଞ୍ଚଳରେ ଅନେକ ଘର ଭାଙ୍ଗି ଯାଇଛି। ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ମଧ୍ୟ କ୍ଷତି ହୋଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଯୋଧ ଘାଟିରେ ବାଦଲ ଫଟା ବର୍ଷାରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି। ବର୍ଷାରେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ଏବଂ ଅନେକ ଘର କ୍ଷତିଗ୍ରସ୍ତ କରିଛି। ସେହିପରି ଜାଙ୍ଗଲୋଟ ଅଞ୍ଚଳରେ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି।

ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଏହି ଅଘଟଣ ଘଟିଛି। ପୋଲିସ ଏବଂ ଏସଡିଆରଏଫର ଏକ ମିଳିତ ଟିମ୍ ଗାଁକୁ ଯାଇ ଉଦ୍ଧାର କାର୍ଯ୍ୟ କରିଛନ୍ତି।

କାଠୁଆ ଥାନା ଅନ୍ତର୍ଗତ ବାଗାର୍ଡ ଏବଂ ଚାଙ୍ଗଡା ଗ୍ରାମ ଓ ଲଖନପୁର ଥାନା ଅନ୍ତର୍ଗତ ଦିଲୱାନ-ହୁଟଲିରେ ମଧ୍ୟ ଭୂସ୍ଖଳନ ହୋଇଛି। କିନ୍ତୁ ସେଠାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଯାହା ବନ୍ୟା ଆଶଙ୍କା ସୃଷ୍ଟି କରୁଛି।

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।