ମାଲକାନଗିରି, ୨୧/୮: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ପଂଚାୟତ ଅଧୀନ ବାୟାପଡା ଘାଟିରେ ଆଜି ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଅଳ୍ପେକେ ବର୍ତିଲେ । ଆମଳିବେଡା ରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଏକ କମାଣ୍ଡର ଯାନ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଯାଇଥିଲା ।
ଦୁର୍ଘଟଣା ପରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଁଚି ଗାଡି ଭିତରେ ଅଟକିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ୧୫ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଛି ।
ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି, କାପାସିଟି ରୁ ଅଧିକ ଯାତ୍ରୀ ବୋହିଥିବା କାରଣରୁ ଗାଡିର ଭାରସାମ୍ୟ ହରାଇଥିଲା । ବର୍ତ୍ତମାନ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା କୁହାଯାଇଛି ।
ଏହି ଦୁର୍ଘଟଣାରୁ ପୁଣିଥରେ ପ୍ରମାଣିତ ହେଲା, ପର୍ବତମାଳାଘେରା ଅଞ୍ଚଳରେ ଯାତାୟାତ ସମୟରେ ଯାନବାହନରେ ଅତିରିକ୍ତ ଯାତ୍ରୀ ବସିବା କେତେ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ ।