ପାଟନା, ୨୮/୮: ଭାରତରେ ପଶି ଆସିଛନ୍ତି ପାକିସ୍ତାନୀ ଆତଙ୍କବାଦୀ। ଗୁଇନ୍ଦା ସୂତ୍ରରୁ ଜଣା ପଡ଼ିବା ପରେ ହାଇ ଆଲର୍ଟରେ ବିହାର ପୋଲିସ। ଗୁଇନ୍ଦା ସୂଚନା ପାଇବା ପରେ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ରାଜ୍ୟବ୍ୟାପୀ ହାଇ ଆଲର୍ଟ ଜାରି କରିଛି। ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କୀ ନେପାଳ ସୀମା ଦେଇ ବିହାରରେ ପ୍ରବେଶ କରିଛନ୍ତି।
ବିହାର ପୋଲିସ ଦ୍ୱାରା ସେମାନଙ୍କ ଫଟୋ ଜାରି ହୋଇଛି। ସେମାନେ ହେଉଛନ୍ତି ରାୱଲପିଣ୍ଡିର ହସନୈନ ଅଲି, ଉମରକୋଟର ଆଦିଲ ହୁସେନ ଏବଂ ବାହାବଲପୁରର ମହମ୍ମଦ ଉସମାନ।
ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସେମାନେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କାଠମାଣ୍ଡୁରେ ପହଞ୍ଚିଥିଲେ ଏବଂ ଗତ ସପ୍ତାହରେ ବିହାରରେ ପ୍ରବେଶ କରିଥିଲେ। ପୋଲିସ ମୁଖ୍ୟାଳୟ ସୀମାନ୍ତ ଜିଲ୍ଲାଗୁଡ଼ିକର ପୋଲିସକୁ ସନ୍ଦିଗ୍ଧଙ୍କ ଫଟୋ ସହ ସମସ୍ତ ବିବରଣୀ ଦେଇଛି। ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମଧୁବନୀ, ସୀତାମାଢ଼ି, ସୁପୌଲ, ଆରାରିଆ, ପୂର୍ବ ଏବଂ ପଶ୍ଚିମ ଚମ୍ପାରଣ ଜିଲ୍ଲା ସମେତ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି
।