ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ ଫୁଟିବନି ବାଣ
ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି
ନିୟମ ମାନିବାକୁ ପୂଜା କମିଟିକୁ ଅନୁରୋଧ
ଭୁବନେଶ୍ୱର, ୧/୯: ଚଳିତ ବର୍ଷର ଭୁବନେଶ୍ୱରରେ ଦୁର୍ଗା ପୂଜା ବିସର୍ଜନ ଶୋଭାଯାତ୍ରା ପାରମ୍ପରିକ ଢଙ୍ଗରେ ଅନୁଷ୍ଠିତ ହେବ। କମିଶନରେଟ ପୋଲିସ ଡିଜେ, ଲେଜର ଲାଇଟ୍ ଏବଂ ବାଣ ଫୁଟାଇବା ଉପରେ ଅଙ୍କୁଶ ଲଗାଇଛି। ଭସାଣୀ ଶୋଭାଯାତ୍ରା ସମୟରେ ସୁରକ୍ଷା, ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବା ଏବଂ ସାଂସ୍କୃତିକ ପବିତ୍ରତା ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ବିସର୍ଜନ ଶୋଭାଯାତ୍ରା ଏବେ କେବଳ ପାରମ୍ପରିକ ବାଜାରେ ହିଁ ହେବ ବୋଲି ପୋଲିସ କମିଶନର ଏସ. ଦେବ ଦତ୍ତ ସିଂ କହିଛନ୍ତି। ଦୁର୍ଗାପୂଜା ପାଇଁ ପୋଲିସ ସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ଏବଂ ବିଭିନ୍ନ ପୂଜା କମିଟିର ମେମ୍ବର୍ସମାନେ ଉପସ୍ଥିତ ଥିଲେ।
ପୂଜା କମିଟିମାନଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଏବଂ ବିସର୍ଜନ ରୀତିନୀତି ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।