ଭୁବନେଶ୍ୱର, ୧୧/୯: ରାଜ୍ୟ ସରକାର ଖୁବ୍ଶୀଘ୍ର ଭୁବନେଶ୍ୱରରେ ବୁଲା ଗୋରୁଙ୍କ ପାଇଁ ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ କରିବେ। ରାଜଧାନୀ ଭୁବନେଶ୍ୱରକୁ ଗୋରୁମୁକ୍ତ କରିବା ପାଇଁ ଆଦର୍ଶ ଗୋଶାଳା ନିର୍ମାଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ଆଦର୍ଶ ଗୋଶାଳା ନିର୍ମାଣ ପାଇଁ କମିଶନର ପୂର୍ବରୁ ଜମି ଚିହ୍ନଟ କରିଛନ୍ତି। ଗୋଶାଳା ନିର୍ମାଣ କରିବା ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗାଈମାନଙ୍କର ଗୋବର ଓ ମୂତ୍ରରୁ ବିଭିନ୍ନ ଉପାୟରେ ପ୍ରଡକ୍ଟ ବାହାର କରି ବ୍ୟବହାର କରାଯାଇପାରିବ। ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ। ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋଶାଳା ହେଉଛି।
ଝାରସୁଗୁଡା, ବାରିପଦା ଏବଂ ବାଲେଶ୍ବରର ଜଳେଶ୍ୱରରେ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇସାରିଛି। ଖୁବ୍ ଶୀଘ୍ର ଭୁବନେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।