ହଜାରିବାଗ, ୧୫/୯: ସୋମବାର ସକାଳେ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୩ ଟପ୍ ମାଓ ନେତା ନିହତ ହୋଇଛନ୍ତି। ଏଥିରେ ୧ କୋଟି ଟଙ୍କା ପୁରସ୍କାର ବହନ କରିଥିବା ଜଣେ ଶୀର୍ଷ ମାଓ ନେତା ନିହତ ହୋଇଛି। ନିହତ କମାଣ୍ଡର ହେଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ସହଦେଓ ସୋରେନ ବୋଲି ଜଣା ପଡିଛି। ସେ ପୂର୍ବ ଭାରତର ସବୁଠାରୁ ୱାଣ୍ଟେଡ୍ ମାଓ ନେତାମାନଙ୍କ ମଧ୍ୟରୁ ଜଣେ ଥିଲା।
ଝାଡ଼ଖଣ୍ଡ ପୋଲିସର ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ କୋବ୍ରା ବାଟାଲିୟନ, ଗିରିଡିହ ପୋଲିସ ଏବଂ ହଜାରିବାଗ ପୋଲିସ ଦ୍ୱାରା ମିଳିତ ଅପରେସନ କରାଯାଇଥିଲା। ଗିରିଡିହ-ବୋକାରୋ ସୀମା ନିକଟବର୍ତ୍ତୀ ତାତିଝରିଆ ଥାନା ସୀମା ଅନ୍ତର୍ଗତ କରାଣ୍ଡି ଗ୍ରାମରେ ସକାଳ ପ୍ରାୟ ୬ଟା ସମୟରେ ଗୁଳିବିନିମୟ ହୋଇଥିଲା।
ଅନ୍ୟ ଦୁଇ ମାଓ ନେତା ମଧ୍ୟରୁ ଜଣେ ହେଲା ବିହାର-ଝାଡ଼ଖଣ୍ଡ ସ୍ୱତନ୍ତ୍ର ଅଞ୍ଚଳ କମିଟି ସଦସ୍ୟ ରଘୁନାଥ ହେମ୍ବ୍ରମ, ତାଙ୍କ ମୁଣ୍ଢଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା। ସେହିପରି ଅନ୍ୟ ଜଣେ ହେଲା ଜୋନାଲ କମିଟି ସଦସ୍ୟ ବୀରସେନ ଗଞ୍ଜୁ ଓରଫ ରାମଖେଲୱାନ, ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା।
ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ତିନି ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏଥି ସହ ଏକେ-୪୭ ରାଇଫଲ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜଙ୍ଗଲରେ ଏବେ ବି ଏକ ସର୍ଚ୍ଚ ଅପରେସନ୍ ଜାରି ରହିଛି।