ନୂଆଦିଲ୍ଲୀ, ୧୬/୯: ଏସିଆ କପ ୨୦୨୫ର ବାକି ମ୍ୟାଚ୍ ରୁ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ପାକିସ୍ତାନର ଦାବିକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପ୍ରତ୍ୟାଖ୍ୟାନ କରିଛି। ଭାରତ-ପାକିସ୍ତାନ ଖେଳରେ ହାତ ନ ମିଳାଇବାକୁ ନେଇ ବିବାଦ ଦେଖା ଦେବା ପରେ ଆଇସିସି ପାଖରେ ପାକିସ୍ତାନ ଅଭିଯୋଗ କରିଥିଲା। ଏବଂ ରେଫରିଙ୍କୁ ହଟାଇବାକୁ ଦାବି କରିଥିଲା। କିନ୍ତୁ ପାକିସ୍ତାନର ଦାବିକୁ ଗ୍ରହଣ କରି ନାହିଁ ଆଇସିସି। ଆଇସିସି ଏହି ଘଟଣାର ତଦନ୍ତ କରିବା ପରେ ପିସିବିକୁ ନିଷ୍ପତ୍ତି ଜଣାଇଛି।
ସୂତ୍ରରୁ ପ୍ରକାଶ ଯେ, ପିସିବି ନିର୍ଦ୍ଦେଶକଙ୍କ ସମେତ କିଛି ଏସୀୟ କ୍ରିକେଟ ପରିଷଦ ଅଧିକାରୀ ପୂର୍ବରୁ ଭଲ ଭାବରେ ଜାଣିଥିଲେ ଯେ ଦୁଇ ଅଧିନାୟକ ହାତ ମିଳାଇବେ ନାହିଁ।
କିନ୍ତୁ ଏ ସତ୍ତ୍ୱେ ବି ପାକିସ୍ତାନ କ୍ରିକେଟ୍ ବୋର୍ଡ ଭାରତୀୟ ଖେଳାଳି ଏବଂ ମ୍ୟାଚ୍ ରେଫରି ପାଇକ୍ରଫ୍ଟଙ୍କ ବିରୋଧରେ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲା।
ICCକୁ ଲେଖିଥିବା ଚିଠିରେ PCB ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲା ଯେ ଯଦି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟା ନ ଯାଏ, ତେବେ ସେମାନେ ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିବେ। ପାଇକ୍ରଫ୍ଟ ଯେଉଁ ମ୍ୟାଚରେ ରେଫରି ରହିବେ ସେ ମ୍ୟାଚ ପାକିସ୍ତାନ ଖେଳିବ ନାହିଁ। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପାଇକ୍ରଫ୍ଟ ପାକିସ୍ତାନ ଅଧିନାୟକଙ୍କୁ ହାତ ମିଳାଇବାକୁ ପରାମର୍ଶ ଦେଇଥିଲା। ହେଲେ ପ୍ରତିପକ୍ଷ ଅଧିନାୟକ ମନା କରି ଦେଇଥିଲେ।