ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ, ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣିର ହେଲା ସିଧା ପ୍ରସାରଣ

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ। ପ୍ରଥମ ଥର ସାମ୍ବିଧାନିକ ପୀଠରେ ଶୁଣାଣିର ହୋଇଛି ସିଧା ପ୍ରସାରଣ। ଖାସ୍ କଥା ମହାରାଷ୍ଟ୍ରର ଚର୍ଚ୍ଚିତ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ବନାମ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମାମଲା ଉପରେ ଶୁଣାଣି ହୋଇଛି। ତେବେ ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟର ନିଜସ୍ଵ ପ୍ଲାଟଫର୍ମ ଖୁବ୍ ଶୀଘ୍ର କରାଯିବ କହିଛନ୍ତି ପ୍ରଧାନ ବିଚାରପତି ୟୁ ୟୁ ଲଳିତ।

ପ୍ରକୃତ ଶିବସେନା କାହାର ?  ଏହି ପ୍ରଶ୍ନର ଉତ୍ତର ଦେବା ଆଇନଗତ ଏବଂ ରାଜନୈତିକ ଦୃଷ୍ଟିରୁ ମୁସ୍କିଲ ହୋଇ ପଡିଛି। ଅଗଷ୍ଟ ମାସରେ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠକୁ ସ୍ଥାନାନ୍ତର କରିଥିଲେ। ଏହି କ୍ରମରେ ଆଜି ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ପୀଠ ମହାରାଷ୍ଟ୍ର ରାଜନୈତିକ ସଂପର୍କିତ ଯାଚିକା ଉପରେ ଶୁଣାଣି  କରିଛନ୍ତି।