ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ଦୀପାବଳି ଉପହାର ବି ଦାୟୀ: ସୁପ୍ରିମକୋର୍ଟ
‘ଗାଡ଼ି ଧୂଆଁ ସହ ଗିଫ୍ଟ ସଂସ୍କୃତି ବି ବଢ଼ାଉଛି ପ୍ରଦୂଷଣ’
ନୂଆଦିଲ୍ଲୀ, ୦୬/୧୧: ଦିଲ୍ଲୀରେ ଦିନକୁ ଦିନ ବିଗୁଡ଼ୁଥିବା ବାୟୁର ମାନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ରାଜଧାନୀର ବାୟୁ ପ୍ରଦୂଷଣ ପାଇଁ କେବଳ ଗାଡ଼ିମୋଟରରୁ ନିର୍ଗତ ଧୂଆଁ ନୁହେଁ, ଦୀପାବଳି ସମୟରେ ଉପହାର ଆଦାନପ୍ରଦାନର ବଢ଼ୁଥିବା ସଂସ୍କୃତି ମଧ୍ୟ ପରୋକ୍ଷରେ ଦାୟୀ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଶେଷକରି ଧନୀ ଲୋକମାନେ ଦୀପାବଳି ଉପହାର ଦେବା ଓ ନେବାକୁ ଏକ ସାମାଜିକ ପ୍ରତିଷ୍ଠା ଓ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରୁଥିବାରୁ ଏହି ପ୍ରଥାରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ।
ଶୁକ୍ରବାର ଦିଲ୍ଲୀର ବାୟୁ ପ୍ରଦୂଷଣ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ମତ ରଖିଥିଲେ। ଦୀପାବଳି ପୂର୍ବରୁ ଦିଲ୍ଲୀର ବଜାରଗୁଡ଼ିକରେ ପ୍ରବଳ ଭିଡ଼ ଜମୁଥିବା ବେଳେ ଉପହାର କିଣାକିଣି ପାଇଁ ଲୋକଙ୍କ ଯାତାୟାତ ମଧ୍ୟ ବଢ଼ିଛି। ଯାହା ଫଳରେ ରାସ୍ତାରେ ଯାନବାହନ ସଂଖ୍ୟା ବଢ଼ିବା ସହ ପ୍ରଦୂଷଣ ମଧ୍ୟ ବଢ଼ୁଛି। ତେଣୁ ପ୍ରତିବର୍ଷ ଦୀପାବଳି ସମୟରେ ଦେଖାଦେଉଥିବା ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ କେବଳ ପ୍ରଶାସନିକ ପଦକ୍ଷେପ ଯଥେଷ୍ଟ ନୁହେଁ, ଲୋକଙ୍କ ଆଚରଣ ଓ ସାମାଜିକ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଧାନ ବିଚାରପତି କହିଛନ୍ତି ଯେ, ଦିଲ୍ଲୀରେ ପ୍ରଦୂଷଣର ମୁଖ୍ୟ କାରଣ କେବଳ ସହର ଭିତରେ ଚଳାଚଳ କରୁଥିବା ଗାଡ଼ି ନୁହେଁ। ଦେଶର ବିଭିନ୍ନ ରାଜ୍ୟରୁ ଅନେକ ଗାଡ଼ି ଦିଲ୍ଲୀକୁ ଆସୁଛି। ଏହି ସବୁ ଗାଡ଼ିର ଅବସ୍ଥା, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ସେଗୁଡ଼ିକରୁ ନିର୍ଗତ ହେଉଥିବା ଧୂଆଁର ପରିମାଣ ଯାଞ୍ଚ କରିବା ସହଜ ନୁହେଁ। ଏପରିକି ଅନ୍ୟ ରାଜ୍ୟରୁ ଆସିଥିବା ଗାଡ଼ି ମାତ୍ର ଦୁଇ ଘଣ୍ଟା ଦିଲ୍ଲୀରେ ଚଳାଚଳ କଲେ ମଧ୍ୟ ତାହା ପ୍ରଦୂଷଣ ବୃଦ୍ଧିରେ ନିଜର ପ୍ରଭାବ ପକାଇଥାଏ।
ଦିଲ୍ଲୀରେ ଯାନବାହନ ଚଳାଚଳ ପ୍ରାୟ ନିୟନ୍ତ୍ରଣହୀନ ସ୍ଥିତିରେ ରହିଛି। ଦେଶର ବିଭିନ୍ନ ଅଞ୍ଚଳରୁ ଗାଡ଼ି ଆସୁଥିବାରୁ ସେଗୁଡ଼ିକର ପ୍ରଦୂଷଣ ସ୍ତର ଉପରେ ନଜର ରଖିବା କଷ୍ଟକର ହେଉଛି। ତେଣୁ ଏହାର ନିୟନ୍ତ୍ରଣ ଆବଶ୍ୟକ।
ଅନ୍ୟପଟେ ଶୁକ୍ରବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ତଥ୍ୟ ଅନୁଯାୟୀ, ଦିଲ୍ଲୀର ହାରାହାରି AQI ୩୮୯ ରେକର୍ଡ କରାଯାଇଛି। ତେବେ ସହରର ଅନେକ ଅଞ୍ଚଳରେ ଏହା ୪୦୦ ଅତିକ୍ରମ କରିଛି। AQI ୪୦୦ ଅତିକ୍ରମ କଲେ ତାହା ଗମ୍ଭୀର ବର୍ଗରେ ଆସିଥାଏ।