ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ବେହାଲ ଓଡ଼ିଶା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ
୨୪ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର
ଜଣେ ମୃତ, ଦୁଇ ନିଖୋଜ: ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
ଭୁବନେଶ୍ଵର, ୩/୧୦: ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁ ଗୁରୁବାର ଓଡିଶାରେ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ଏବଂ ବ୍ୟାପକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଯୋଗୁଁ ପରିବହନ ବାଧାପ୍ରାପ୍ତ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି।
ପୋଲିସ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା କହିଛନ୍ତି, “ଗତ ଦୁଇ ଦିନ ଧରି ଲଗାତାର ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଛଅଟି ସ୍ଥାନରେ ଭୂସ୍ଖଳନ ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ନିଖୋଜ ହୋଇଛନ୍ତି।” “ଆର ଉଦୟଗିରିରେ ଭୂସ୍ଖଳନରେ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ଅବସ୍ଥାରେ ଜଣେ ମୃତକଙ୍କୁ ଉଦ୍ଧାର କରାଯାଇଛି।
ରାୟଗଡା ବ୍ଲକର ପେକଟ ନିକଟରେ ଭୂସ୍ଖଳନ ହେବା ପରେ କାର୍ତ୍ତିକ ଶବର (୭୦) ଏବଂ ତାଙ୍କ ପୁଅ ରାଜୀବ ଶବର ନିଖୋଜ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହିତ ନୂଆଗଡ଼ ଏବଂ ଆର ଉଦୟଗିରିକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁସ୍ଖଳନ ଯୋଗୁଁ ମହେନ୍ଦ୍ରଗିରି ପାହାଡ଼ରେ ଫସି ରହିଥିବା ୨୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବଳ ବର୍ଷାରେ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବାକୁ ଏବଂ ଚାଲିଥିବା ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ଆବଶ୍ୟକ ଅନୁଯାୟୀ ତୁରନ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ଏକ ସରକାରୀ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ ଗଜପତି ଜିଲ୍ଲାର ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ପରିସ୍ଥିତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି।
ରାଜ୍ୟ ରାଜସ୍ୱ ବିଭାଗର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ଭୂସ୍ଖଳନ ହୋଇଛି। ଗଞ୍ଜାମର କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି।
ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଟ୍ରେନ ଚଳାଚଳ ମଧ୍ଯ ବାଧାପ୍ରାପ୍ତ ହୋଇଛି।
କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷାରେ ପୋଲ ବୁଡ଼ିଯିବାରୁ ଜାତୀୟ ରାଜପଥ ୩୨୬ ରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଏହି ପୋଲ ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାକୁ ସଂଯୋଗ କରେ।
ଆସନ୍ତା ୩ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଆତି ପ୍ରବଳ ବର୍ଷା ପାଇଁ ଆଇଏମଡି ‘ରେଡ୍ ଆଲର୍ଟ’ ଜାରି କରିଛି। ୧୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ଅବଶିଷ୍ଟ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।