କଟକ, ୪/୧୦: କଟକ ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ କଟକ ଡିସିପି ଋଷିକେଶ ଖିଲାରୀ ଆହତ ହୋଇଛନ୍ତି। ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଦରଘା ବଜାର ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଜଣ ଗୁରୁତର ହୋଇଛନ୍ତି।
ଗୀତ ବଜାଇବାକୁ ବିରୋଧ କରି ଢେଲାମାଡ଼ କରାଯାଇଥିବା ସୂଚନା ମିଳିଛି। କାଚ ଓ ପଥର ମାଡରେ କଟକ ଡିସିପି ଏଥିରେ ଆହତ ହୋଇଛନ୍ତି। ଡିସିପିଙ୍କ ଆଖି ପତା ଫାଟି ପ୍ରବଳ ରକ୍ତସ୍ରାବ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା।
ଏତିକିରେ ପରିସ୍ଥିତି ଶାନ୍ତ ହେଉଥିବା ବେଳେ ରାଉସାପାଟଣା ମେଢ଼ ଆସିବା ପରେ ପୁଣି ପରିସ୍ଥିତି ଅଶାନ୍ତ ହୋଇଥିଲା। ଢେଲା ପଥର ମାଡ ହୋଇଥିଲା।
ଉତ୍ତେଜନା ସୃଷ୍ଟି ହେବା ଫଳରେ ମାଆଙ୍କ ବିସର୍ଜନ ସେଠାରେ ହିଁ ଅଟକି ରହିଛି। ଦେବୀଗଡା ଅଭିମୁଖେ ଯାଉଥିବା ମେଢ ଗୁଡିକ ରାସ୍ତାରେ ଅଟକି ରହିଛନ୍ତି।
ଅନ୍ୟପଟେ ନିମ ସାହିରେ ଅଟକିଥିବା ବେଳେ ରାଉସପାଟଣା ଦୁର୍ଗା ମେଢ ଆଜି ବିସର୍ଜନ ହୋଇଛି। ଗତ ରାତିରେ ଆକ୍ରମଣକୁ ନେଇ ଧାରଣାରେ ବସିଥିଲେ ଶତାଧିକ ପୂଜା କମିଟି ସଦସ୍ୟ। ଢେଲା ପଥର ଆକ୍ରମଣ ପରେ ମେଢ ପଛକୁ ନେବାକୁ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହା ସହ ଆକ୍ରମଣକାରୀଙ୍କ ଗିରଫଦାରୀ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ ପହଞ୍ଚି ବୁଝାସୁଝା କରିବାରୁ ବିସର୍ଜନ ହୋଇଛନ୍ତି ମାଆ। ସୁରକ୍ଷା ପାଇଁ ଘଟଣାସ୍ଥଳରେ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ କରାଯାଇଛି।