ନୂଆଦିଲ୍ଲୀ, ୪/୧୦: ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ନଡ୍ଡାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଛି। ରାଜନୈତିକ ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି।
ମୁଖ୍ୟମନ୍ତ୍ରୀ ଏହି ବୈଠକ ସଂକ୍ରାନ୍ତରେ ଏକ୍ସରେ ପୋଷ୍ଟ କରିଛନ୍ତି। “ଆଜି ନୂଆଦିଲ୍ଲୀରେ ଆମ ଦଳର ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା। ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାନନୀୟ ନଡ୍ଡା ଜୀଙ୍କ ଦୃଷ୍ଟିଭଙ୍ଗୀ ଓ ପରାମର୍ଶ ଆମକୁ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ।” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।