ଭୁବନେଶ୍ଵର, ୪/୧୦: କୋଟି କୋଟି ଟଙ୍କା ବିନିମୟରେ ପୋଲିସ ସବ-ଇନ୍ସପେକ୍ଟର ଚାକିରି ଦୁର୍ନୀତିରେ କ୍ରାଇମବ୍ରାଞ୍ଚ ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। କଟକ ବାରଙ୍ଗ ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। SI ଚାକିରି କେଳେଙ୍କାରୀରେ ବିଶ୍ବରଞ୍ଜନଙ୍କ ସକ୍ରିୟ ଭୂମିକା ଥିଲା।
ସିଣ୍ଡିକେଟ୍ ମୁଖ୍ୟଙ୍କ ନିର୍ଦ୍ଦେଶରେ ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲେ ବିଶ୍ୱରଞ୍ଜନ। ଆଶାୟୀଙ୍କ ଠାରୁ ଅରିଜିନାଲ୍ ସାର୍ଟିଫିକେଟ୍, ବ୍ଲାଙ୍କ ଚେକ୍ ମଧ୍ୟ ନେଉଥିଲେ। ପ୍ରଶ୍ନପତ୍ର ଯୋଗାଇବ କହି ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଉଥିଲେ। ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଇ ସିଣ୍ଡିକେଟ୍ ମୁଖ୍ୟଙ୍କୁ ଦେଉଥିଲେ ବୋଲି ଜଣାପଡ଼ିଛି। ତାଙ୍କୁ ବ୍ରହ୍ମପୁରର ଜେଏମଏଫସି କୋର୍ଟକୁ ପଠାଯାଇଛି।
ପୂର୍ବରୁ ଏହି ଜାଲିଆତି ମାମଲାରେ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଛନ୍ତି। କ୍ରାଇମବ୍ରାଞ୍ଚ ଏବେ ବି ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତି ସମେତ ରାକେଟ୍ ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କୁ ଖୋଜୁଛି।
ଅନ୍ୟପଟେ ଏହି ଘଟଣାରେ OPRB ଅଧ୍ୟକ୍ଷ ସୁଶାନ୍ତ ନାଥଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ କରାଯାଇଥିଲା। ଏ ନେଇ OPRB ଅଧ୍ୟକ୍ଷ ସୁଶାନ୍ତ ନାଥ କହିଛନ୍ତି ଯେ, ଯାହା ଘଟଣା ଘଟିଛି, କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ। ତଦନ୍ତ ରିପୋର୍ଟକୁ ଅପେକ୍ଷା, ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ। ସଠିକ୍ ସମୟରେ ସ୍ବଚ୍ଛ ଭାବେ ପରୀକ୍ଷା ହେବ ବୋଲି କହିଛନ୍ତି।
ଏସଆଇ ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଚିଂ ଦେବାକୁ ଆନ୍ଧ୍ରପ୍ରଦେଶର ବିଜୟନଗରମକୁ ନେଇ ଯାଉଥିବା ବେଳେ ବ୍ରହ୍ମପୁର ପୋଲିସର ଏକ ଟିମ୍ ପରୀକ୍ଷାର୍ଥୀଙ୍କୁ ଅଟକାଇବା ପରେ ଏହି ଠକେଇର ପର୍ଦ୍ଦାଫାସ ହୋଇଥିଲା। ପୋଲିସ ଏକ ସୂତ୍ରରୁ ସୂଚନା ପାଇ ଅକ୍ଟୋବର ୧ ତାରିଖରେ ଶ୍ରୀକାକୁଲମରେ ଧରିଥିଲା ପୋଲିସ। ସେମାନଙ୍କୁ ବ୍ରହ୍ମପୁର ଅଣାଯାଇ ଅଧିକ ପଚରାଉଚରା କରାଯାଉଛି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡଙ୍କ ପତ୍ତା ମିଳୁନି।