ତାଲିବାନ ଆକ୍ରମଣରେ ଘାଇଲା ପାକିସ୍ତାନ: ୫୮ ପାକ ସୈନିକ ମୃତ

ନିଜର ବିଜୟ ଦାବି କଲା ପାକିସ୍ତାନ… କହିଲା ୨୦୦ ଆତଙ୍କୀ ନିପାତ

ଲାହୋର, ୧୨/୧୦: ପାକିସ୍ତାନ ଉପରେ ତାଲିବାନ ସେନାର ପ୍ରଚଣ୍ଡ ଆକ୍ରମଣ। ପାକିସ୍ତାନ ସେନା କାବୁଲରେ ବିମାନ ଆକ୍ରମଣ କରିବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଛି ଆଫଗାନିସ୍ତାନର ତାଲିବାନ ସେନା। ଆଫଗାନିସ୍ତାନ ପାକିସ୍ତାନ ଉପରେ ଆକ୍ରମଣ କରିବା ଫଳରେ ୫୮ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ୧୦ଟି ପାକ୍ ସାମରିକ ଆଉଟପୋଷ୍ଟକୁ କବଜା କରିଥିବା କହିଛି ତାଲିବାନ।

ଏଥିସହ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଚେତାବନୀ ଦେଇଛନ୍ତି ଯେ, “ପାକିସ୍ତାନ ନିଜ ଲୁଚାଇ ରଖିଥିବା ISIS ସଦସ୍ୟମାନଙ୍କୁ ଦେଶରୁ ବାହାର କରିବା ଉଚିତ କିମ୍ବା ସେମାନଙ୍କୁ ଇସଲାମିକ୍ ଏମିରେଟ୍ସକୁ ହସ୍ତାନ୍ତର କରିବା ଉଚିତ। ISIS ଗୋଷ୍ଠୀ ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ନିଜ ଦେଶର ବାୟୁ ଏବଂ ସ୍ଥଳ ସୀମାକୁ ରକ୍ଷା କରିବାର ଅଧିକାର ଆଫଗାନିସ୍ତାନର ଅଛି। ଆଫଗାନିସ୍ତାନ କେବଳ କତାର ଏବଂ ସାଉଦି ଆରବର ଅନୁରୋଧରେ ଆଫଗାନିସ୍ତାନ-ପାକିସ୍ତାନ ସୀମା – ଡୁରାଣ୍ଡ ରେଖାରେ ବର୍ତ୍ତମାନର ଅପରେସନକୁ ବନ୍ଦ କରିଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସଂଘର୍ଷରେ ଅତି କମରେ ୨୦ ଜଣ ତାଲିବାନ ସୈନିକଙ୍କ ମୃତ୍ୟୁ ଘଟିଛି।

ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶର ସୂଚନା ଏବଂ ସଂସ୍କୃତି ବିଭାଗର ମୁଖ୍ୟ ରସିଦ ହେଲମାଣ୍ଡି ଟୋଲୋ ନ୍ୟୁଜକୁ କହିଛନ୍ତି ଯେ ପାକିସ୍ତାନୀ ସେନା ରବିବାର ବାରମଚା ଜିଲ୍ଲାର ହାଜି ହାଲିମ ଗାଁରେ ମୋର୍ଟାର ମାଡ଼ କରିଥିଲେ, ଯେଉଁଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ।

ଅନ୍ୟପଟେ ପାକିସ୍ତାନ କହିଛି ଯେ, ଏହାର ସୁରକ୍ଷା ବାହିନୀ ୨୦୦ ତେହେରିକ-ଏ-ତାଲିବାନ୍ ପାକିସ୍ତାନ ବା (ଟିଟିପି) ଆତଙ୍କବାଦୀଙ୍କୁ ହତ୍ୟା କରିଛି ଏବଂ ଆଫଗାନ ସେନା ବିରୁଦ୍ଧରେ ବିଜୟ ଦାବି କରିଛି। ପୂର୍ବରୁ, ପାକିସ୍ତାନ ମଧ୍ୟ ଦାବି କରିଥିଲା ଯେ ସୀମାରେ ଆକ୍ରମଣ କରି ଏହା ୧୯ଟି ଆଫଗାନ ସାମରିକ ପୋଷ୍ଟ ଏବଂ ଅନେକ “ଆତଙ୍କବାଦୀ ଆଡ୍ଡା” କବଜା କରିଛି।