କୋଲକାତା, ୧୩/୧୦: ଦୁର୍ଗାପୁରରେ ଓଡ଼ିଆ ଏମବିବିଏସ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ପୋଲିସ ସୋମବାର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି। ପୂର୍ବରୁ ପୋଲିସ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଥିଲା।
ପୋଲିସ ପ୍ରଥମେ ତିନି ଜଣଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କୁ ରବିବାର ସ୍ଥାନୀୟ କୋର୍ଟ ୧୦ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଥିଲା।
ପୀଡ଼ିତା ଜଣକ ଓଡ଼ିଶାର ହୋଇଥିବା ବେଳେ ସେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜର ଏମବିବିଏସ କରୁଥିଲେ। ସେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ।
ଏ ସମୟରେ, ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ସୋଭନା ମହାନ୍ତିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ରତିନିଧି ଦଳ ଦୁର୍ଗାପୁର ଗସ୍ତ କରିଛନ୍ତି। ପୀଡିତାଙ୍କ ପରିବାରକୁ ଭେଟିବା ଏବଂ ଚିକିତ୍ସା ସମୀକ୍ଷା କରିବା ପାଇଁ ଦୁର୍ଗାପୁରରେ ପହଞ୍ଚିଛନ୍ତି।
ଅନ୍ୟପଟେ ପୀଡ଼ିତାଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ। ଦୁର୍ଗାପୁର ହସ୍ପିଟାଲ୍ରେ ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ପରିବାର ସହ ଆଲୋଚନା କରି ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ରାଜ୍ୟପାଳ ପହଞ୍ଚିବା ବେଳେ ହସ୍ପିଟାଲ୍ ପରିସରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା।