ଭୟଙ୍କର ଦୁର୍ଘଟଣା: ଜଳିଗଲା ଯାତ୍ରୀବାହୀ ବସ୍

୨୦ ଜଣ ଜୀବନ୍ତ ଦଗ୍ଧ

ଚିନ୍ନାଟେକୁର, ୨୪/୧୦: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଚିନ୍ନାଟେକୁର ନିକଟରେ ଘଟିଛି ଅତ୍ୟନ୍ତ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୁକ୍ରବାର ଭୋର ସମୟରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବାଇକ୍ ସହିତ ଏକ ଘରୋଇ ଟ୍ରାଭେଲ୍ ବସ୍ ର ଧକ୍କା ହେବା ପରେ ନିଆଁ ଲାଗି ଏପରି ଦୁର୍ଘଟଣା ଘଟିଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ପୋଲିସ କହିଛି ଯେ ଅନେକ ମୃତଦେହ ସମ୍ପୂର୍ଣ୍ଣ ପୋଡ଼ିଯାଇଛି, ଯାହା ଫଳରେ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି।

ସୂତ୍ର ଅନୁସାରେ, ଘଟଣାଟି ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଘଟିଥିଲା। ବସ୍ ଟି ବାଇକ୍ ସହିତ ଧକ୍କା ହେବା ଫଳରେ ସେଥିରେ ଭୟଙ୍କର ଭାବେ ନିଆଁ ଲାଗିଯାଇଥିଲା ଯାହା ଶୀଘ୍ର ବ୍ୟାପି ଯାଇ ସମ୍ପୂର୍ଣ୍ଣ ଗାଡ଼ିକୁ ପୋଡ଼ି ଦେଇଥିଲା।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବସ୍‌ର ଆଗ ଭାଗରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ତାହା ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ନିଆଁ ତୀବ୍ର ହେବା ପରେ, ୧୨ ଜଣ ଯାତ୍ରୀ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଭାଙ୍ଗି ଖସି ପଳାଇବାରେ ସଫଳ ହୋଇଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ କୁର୍ଣ୍ଣୁଲ୍ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା।

ଏହି ଘଟଣାରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏକ ଦୁର୍ଘଟଣା ଯୋଗୁଁ ପ୍ରାଣହାନୀ ଯୋଗୁଁ ଅତ୍ୟନ୍ତ ମର୍ମାହତ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି, “ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରାଣହାନି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଁ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”