ଧ୍ୱଂସ ଲୀଲା କଲା ‘ମେଲିସା’: ୧୯୯୯ ମହାବାତ୍ୟାଠୁ ବି ଭୟଙ୍କର
୧୮୫୧ ପରେ ସବୁଠୁ ଶକ୍ତିଶାଳୀ ମହାବାତ୍ୟା, ଏକାଧିକ ସହର ଧ୍ୱଂସ ବିଧ୍ୱଂସ
ଜାମାଇକା, ୨୯/୧୦: ଉତ୍ତର ଆମେରିକା ମହାଦେଶର ଜାମାଇକାରେ ତାଣ୍ଡବ ରଚିଛି ମହାବାତ୍ୟା। ଆଟଲାଣ୍ଟିକ ମହାସାଗରର ଆରାବିଆନ ସାଗରର ନିକଟବର୍ତ୍ତୀ ଜାମାଇକା ଦେଶକୁ ପୂରା ଛାରଖାର କରିଦେଇଛି। ଏହି ବାତ୍ୟା ୧୮୫୧ ମସିହା ପରେ ସବୁଠୁ ଭୟଙ୍କର ମହାବାତ୍ୟା ବୋଲି କୁହାଯାଉଛି। ଜାମାଇକାରେ ରେକର୍ଡ ହୋଇଥିବା ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା। ଏହାର ନାଁ ରଖାଯାଇଛି ‘ମେଲିସା’।
ମଙ୍ଗଳବାର ଦିନ ନ୍ୟୁ ହୋପ୍ ନିକଟରେ ସ୍ଥଳଭାଗ ଛୁଇଁବା ପରେ ୧୮୫ ମାଇଲ ପ୍ରତି ଘଣ୍ଟା (୨୯୫ କିଲୋମିଟର / ଘଣ୍ଟା) ବେଗରେ ପବନ ବହିବା ପରେ ସବୁ କିଛି ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଯିବା ସହ ଅନେକ ସ୍ଥାନରେ ଗଛ ଉପୁଡ଼ି ଯାଇଛି ଏବଂ ବିଦ୍ୟୁତ୍ ତାରଗୁଡ଼ିକ ଛିଣ୍ଡି ଯାଇଛି। ଯାହା ଫଳରେ ଦ୍ୱୀପର ଅଧିକାଂଶ ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଛି।
ସ୍ଥାନାନ୍ତର ଚେତାବନୀ ସତ୍ତ୍ୱେ, ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ଅନେକ ବାସିନ୍ଦା ଘରେ ରହିଥିଲେ। କେତେକ ଛାତ ଉପରେ ଫସି ରହିଥିଲେ, ଅନେକ ଲୋକ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିଲେ।
ରିପୋର୍ଟ ଅନୁଯାୟୀ, ଜାମାଇକାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି, କାରିବିଆନରେ ସାତ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି, ହାଇତିରେ ତିନି ଜଣ ଏବଂ ଡୋମିନିକାନ୍ ରିପବ୍ଲିକରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଝଡ଼ ପାଇଁ ପ୍ରସ୍ତୁତି ସମୟରେ ଆଉ ୧୩ ଜଣ ଆହତ ହୋଇଛନ୍ତି।
ଜାମାଇକାର ଦକ୍ଷିଣ-ପଶ୍ଚିମ ଉପକୂଳରେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଗୋଟିଏ ସେଣ୍ଟ ଏଲିଜାବେଥ ପାରିସ୍ ଏବେ ମୁଖ୍ୟତଃ ପାଣିରେ ବୁଡ଼ି ରହିଛି।
ବାତ୍ୟା ପାଇଁ ଦେଶବ୍ୟାପୀ ୮୦୦ ରୁ ଅଧିକ ଆଶ୍ରୟସ୍ଥଳ ଖୋଲାଯାଇଥିଲା, ଯେଉଁଥିରେ ପ୍ରାୟ ୧୫,୦୦ ଲୋକ ରହିଥିଲେ। ଘୂର୍ଣ୍ଣିବାତ୍ୟାର ପ୍ରକୋପରେ ଘର ଏବଂ ସ୍କୁଲର ଛାତ ଭାଙ୍ଗି ଯାଇଛି।
ମେଲିସା ୫ ବର୍ଗର ବାତ୍ୟା ହୋଇଥିବା ବେଳେ ଜାମାଇକାରେ ଲ୍ୟାଣ୍ଡଫଲ କରିବା ପରେ କ୍ୟୁବା ଅଭିମୁଖେ ମୁହାଁଇଛି। ଏହା ପରେ ମେଲିସା ସାମାନ୍ୟ ଦୁର୍ବଳ ହୋଇ ୩ ବର୍ଗରେ ରହିଛି।
ଦକ୍ଷିଣ ପୂର୍ବ ଏବଂ କେନ୍ଦ୍ରୀୟ ବାହାମାସ ପାଇଁ ଅଧିକ ସତର୍କତା ଏବଂ ବରମୁଡା ପାଇଁ ଏକ ଘୂର୍ଣ୍ଣିବାତ୍ୟା ସତର୍କତା ଜାରି କରାଯାଇଥିଲା। ଏହି ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୯୦୦,୦୦୦ କ୍ୟୁବାବାସୀଙ୍କୁ ସ୍ଥାନାନ୍ତର କରାଯାଇଛି।
ମେଲିସା ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ସୋସିଆଲ ମିଡିଆରେ ଏହାର ଆଖି ବା କେନ୍ଦ୍ରସ୍ଥଳ ବହୁତ ଭାଇରାଲ ହୋଇଥିଲା। ଯାହା ଶକ୍ତିଶାଳୀ ବୋଲି ସୂଚାଇଥିଲା।