ପ୍ରକୃତି ଆଁରେ ଫିଲିପାଇନ୍ସ

ଗଲାଣି ୨୪୧ ଜୀବନ, ହଜାର ହଜାର ଲୋକ ବିସ୍ଥାପିତ

ଫିଲିପାଇନ୍ସ, ୦୬/୧୧: ଫିଲିପାଇନ୍ସରେ ତାଣ୍ଡବ ରଚିଛି ଟାଇଫୁନ କାଲମେଗି। ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏପର୍ଯ୍ୟନ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ନିଖୋଜ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ୍ ଜୁନିଅର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସାମୁଦ୍ରିକ ଝଡ ଯୋଗୁଁ ଅନେକ ଲୋକଙ୍କ ପାଖକୁ ସହାୟତା ପହଞ୍ଚି ପାରିନାହିଁ।

ଅନ୍ୟପଟେ ଫିଲିପାଇନ୍ସ ସେନା କହିଛି ଯେ କାଲମେଗି ପ୍ରଭାବିତ ପ୍ରଦେଶଗୁଡ଼ିକୁ ମାନବିକ ସହାୟତା ନେଇଯାଉଥିବା ଏକ ବାୟୁସେନା ହେଲିକପ୍ଟରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାଫଳରେ ହେଲିକପ୍ଟରରେ ଥିବା ୬ ଜଣଙ୍କର ମୃତ୍ୟୁ ଘଟିଛି।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଟାଇଫୁନ୍ କାଲମେଗି ଦକ୍ଷିଣ ଚୀନ୍ ସାଗର ଆଡକୁ ଗତି କରିଛି। ଏହି ସମୟରେ ପବନ ଘଣ୍ଟା ପ୍ରତି ୧୩୦ ରୁ ୧୮୦ କିଲୋମିଟର ମଧ୍ୟରେ ରହିଛି।

ସାମୁଦ୍ରିକ ଝଡ଼ ପରେ ହଠାତ୍ ବନ୍ୟା ସୃଷ୍ଟି ହୋଇଥିଲା ଏବଂ ନଦୀଗୁଡିକ ବିପଦ ସଂକେତ ଉପରେ ପ୍ରବାହିତ ହୋଇଥିଲା। ବନ୍ୟା ଆସିବା ଫଳରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ବନ୍ୟା ପାଣିରେ ଅନେକ ଲୋକ ଭାସି ଯାଇଛନ୍ତି। ଅନେକ ଲୋକଙ୍କ ଘରେ ପାଣି ପଶିଯିବାରୁ ଛାତ ଉପରେ ଆଶ୍ରୟ ନେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କିଭଳି ତାଣ୍ଡବ ରଚିଛି କାଲମେଗି ତାହା ଦେଖିବାକୁ ମିଳିଛି।

ଗତ ମାସରେ ଧରି ଫିଲିପାଇନ୍ସରେ ତାଣ୍ଡବ ରଚୁଛି ପ୍ରକୃତି। ପ୍ରଥମେ ଭୂମିକମ୍ପ ପରେ ରାଗାସା ମହାବାତ୍ୟା ତାଣ୍ଡବ ରଚିଥିଲା। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଲୋକମାନେ ଅଳ୍ପ ବହୁତ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଥିବା ବେଳେ ପୁଣି ଦାଉ ସାଧୁଛି କାଲମେଗି।