ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା

ଛାଡିଗଲେ ସୁଇସାଇଡ୍ ନୋଟ

ସାଙ୍ଗାରେଡ୍ଡି, ୦୭/୧୧: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଜଣେ ୨୫ ବର୍ଷୀୟ ମହିଳା ପିମ୍ପୁଡ଼ି ଭୟରେ ଜୀବନ ହାରି ଦେଇଛନ୍ତି। ସେ ମାଇର୍ମେକୋଫୋବିଆ ରୋଗରେ ପୀଡିତ ଥିଲେ। ପିମ୍ପୁଡ଼ିକୁ ଦେଖି ଭୟ କରୁଥିଲେ। ଘଟଣା ଦିନ ପିମ୍ପୁଡ଼ିକୁ ଦେଖି ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡିଛି। ଗତ ୪ ତାରିଖ ଦିନ ସେ ନିଜ ଜୀବନ ହାରିଥିଲେ। ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ଅମୀନପୁର ପୋଲିସର ସୂଚନା ଅନୁଯାୟୀ, ୨୦୨୨ ମସିହାରେ ବିବାହ କରିଥିବା ଏହି ମହିଳାଙ୍କର ଏକ ତିନି ବର୍ଷର ଝିଅ ଅଛି। ସେ ପିଲାଦିନୁ ପିମ୍ପୁଡ଼ି ଭୟରେ ଏକ ରୋଗରେ ପୀଡିତ ଥିଲେ। ସେ ହସ୍ପିଟାଲରେ ମଧ୍ୟ ପରାମର୍ଶ ନେଇଥିଲେ।

ଘଟଣା ଦିନ ସେ ତାଙ୍କ ଝିଅକୁ ଜଣେ ସମ୍ପର୍କୀୟଙ୍କ ଘରେ ଛାଡି ଦେଇଥିଲେ, କହିଥିଲେ ଯେ ସେ ତାଙ୍କ ଘର ସଫା କରିବା ପରେ ଝିଅକୁ ନେଇ ଆସିବେ। ସନ୍ଧ୍ୟାରେ ତାଙ୍କ ସ୍ୱାମୀ କାମରୁ ଫେରିବା ପରେ, ସେ ଭିତରୁ କବାଟ ବନ୍ଦ ଥିବା ଦେଖିଲେ। ପଡ଼ୋଶୀଙ୍କ ସହାୟତାରେ ସେ କବାଟ ଭାଙ୍ଗି ଭିତରକୁ ଯିବା ପରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ।

ଘଟଣାସ୍ଥଳରୁ ମିଳିଥିବା ଏକ ସୁଇସାଇଡ ନୋଟରେ ଲେଖାଥିଲା: “ଶ୍ରୀ, ମୋତେ କ୍ଷମା କରିଦେବ, ମୁଁ ଏହି ପିମ୍ପୁଡ଼ିମାନଙ୍କ ସହିତ ରହିପାରିବି ନାହିଁ। ଝିଅର ଯତ୍ନ ନିଅ। ସାବଧାନ ରୁହ।”