ବିଜେପି ରାଜ୍ୟ କାର୍ଯ୍ୟାଳୟରେ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତି ପାଳନ
“ବନ୍ଦେ ମାତରମ୍”ଗୀତର ଶୀର୍ଷକକୁ ରାଜନୈତିକ ସ୍ଳୋଗାନ ଓ ଆବାହ ସଂଗୀତ ଭାବେ ୧୫୦ ବର୍ଷ ଧରି ନିୟମିତ ବ୍ୟବହାର କରିବା ସାରା ବିଶ୍ୱରେ ବିରଳ
“ବନ୍ଦେ ମାତରମ୍”ଗୀତ ହେଉଛି ରାଷ୍ଟ୍ରପ୍ରେମ, ଆତ୍ମବିଶ୍ୱାସ ଓ ଏକତାର ପ୍ରତୀକ: ଗୋଲକ ମହାପାତ୍ର
ଭୁବନେଶ୍ୱର, ୦୭/୧୧: ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିବା ରାଷ୍ଟ୍ରଗୀତ “ବନ୍ଦେ ମାତରମ୍”ର ଶୀଷର୍କକୁ ନେଇ ଦେଶର ବିଭିନ୍ନ ଭାଷାରେ ନାଟକ ପ୍ରଦର୍ଶିତ ହୋଇଛି। ସାରା ବିଶ୍ୱରେ କୌଣସି ଏକ ଗୀତର ଶୀର୍ଷକକୁ ରାଜନୈତିକ ସ୍ଳୋଗାନ ଓ ଆବାହ ସଂଗୀତଭାବେ ୧୫୦ ବର୍ଷ ଧରି ନିୟମିତ ବ୍ୟବହାର କରିବା ସମ୍ପୂର୍ଣ୍ଣ ବିରଳ । “ବନ୍ଦେ ମାତରମ୍”ଗୀତ ହେଉଛି ରାଷ୍ଟ୍ରପ୍ରେମ, ଆତ୍ମବିଶ୍ୱାସ ଓ ଏକତାର ପ୍ରତୀକ ବୋଲି ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।
“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୧୮୭୫ ମସିହା ନଭେମ୍ବର ୭ ତାରିଖରେ ପ୍ରଖ୍ୟାତ ବଙ୍ଗଳା ଲେଖକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଗୀତିଟି ତାଙ୍କ ସମ୍ପାଦିତ ମାସିକ ସାହିତ୍ୟ ପତ୍ରିକା “ବଙ୍ଗ ଦର୍ଶନ”ରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା। ସେହି ପ୍ରଥମ ସମ୍ପାଦନର ଏବେ ୧୫୦ ବର୍ଷ ପୂରଣ ହୋଇଛି। “ବନ୍ଦେ ମାତରମ୍” ଗୀତର ଶୀଷର୍କଟି ରାଜନୈତିକ ସ୍ଲୋଗାନ ରୂପେ ୧୯୦୫ ମସିହାରୁ ବ୍ୟବହୃତ ହୋଇ ଆସୁଛି। ୧୮୯୬ରେ କଲିକତାଠରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ “ବନ୍ଦେ ମାତରମ୍” ଗୀତକୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ନିଜେ ସ୍ୱର ସଂଯୋଜନା କରିବା ସହ ନିଜ କଣ୍ଠରେ ଗାନ କରିଥିଲେ। “ବନ୍ଦେ ମାତରମ୍” ନାମରେ କଲିକତାରେ ଏବଂ ଲଣ୍ଡନରେ ଇଂରାଜୀ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା।
୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଜନଗଣ ମନକୁ ରାଷ୍ଟ୍ରୀୟ ସଂଗୀତ ଏବଂ “ବନ୍ଦେ ମାତରମ”କୁ ରାଷ୍ଟ୍ରୀୟ ଗୀତ ରୂପେ ସ୍ୱୀକୃତି ମିଳିଥିଲା। ଏହି ଗୀତଟି ୧୮୯୬ରୁ ୧୯୪୭ ପର୍ଯ୍ୟନ୍ତ ଭାରତବର୍ଷର ରାଜନୈତିକ ସଭାଗୁଡ଼ିକରେ ପାରମ୍ଭିକ ସଂଗୀତ ରୂପେ ଗାନ ହୋଇ ଆସୁଛି। ଏହି ମହାନ୍ ପରମ୍ପରାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ସାରା ଦେଶରେ ଏହି ଗୀତର ୧୫୦ତମ ପୂର୍ତି ପାଳନ ହେଉଛି। ଏହି ଅବସରରେ ମୋଦିଜୀ ଆଜି ଏକ ସ୍ମାରକୀ ଡାକ ଟିକେଟ ଓ ୧୫୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଏହି ମହାନ ଗୀତର ୧୫୦ ପୂର୍ତି ଉତ୍ସବ ରାଜ୍ୟର ବିଭିନ୍ନ ବିଧାନସଭା କ୍ଷେତ୍ରରେ ଆୟୋଜନ କରାଯିବ ବୋଲି ଅନ୍ୟତମ ବରିଷ୍ଠ ନେତା ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଏବଂ ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ସୁଚନା ଦେଇଛନ୍ତି ।
ଏହି ଅବସରରେ ଶ୍ରୀ ମହାପାତ୍ର ଉପସ୍ଥିତ କାର୍ଯ୍ୟକର୍ତାମାନଙ୍କୁ ସ୍ୱଦେଶୀ ସାମଗ୍ରୀ ଓ ବସ୍ତୁ ଆପଣାଇବା ପାଇଁ ଶପଥପାଠ କରାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପୂର୍ବତନ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲ୍ଲୀପ ମଲ୍ଲିକ, ସୁଶାନ୍ତ ଜେନାଙ୍କ ସମେତ ପାର୍ଟିର ଅନେକ ନେତୃୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।