ନୂଆଦିଲ୍ଲୀ, ୧୦/୧୧: ଦିଲ୍ଲୀରେ ବଡ଼ ଆତଙ୍କୀ ଯୋଜନା ପଣ୍ଡ ହୋଇଥିବା ବେଳେ ଆତଙ୍କବାଦୀ ମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ଏହାରି ମଧ୍ୟରେ ଏକ ବଡ଼ ଖବର ସାମନାକୁ ଆସିଛି। ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି।
ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ କାରରେ ଏକ ବଡ଼ ଧରଣର ବିସ୍ଫୋରଣ ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି।
କୁହାଯାଉଛି ଯେ ବିସ୍ଫୋରଣରେ କାରଟି ଭୟଙ୍କର ଭାବରେ ଜଳିଯାଇଛି। ଏହି ବିସ୍ଫୋରଣ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ ନମ୍ବର ୧ ନିକଟରେ ହୋଇଥିଲା।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ୭ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ଯାଇଛି। ବିସ୍ଫୋରଣ ଯୋଗୁଁ ସେଠାରେ ଠିଆ ହୋଇଥିବା ଅନେକ ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଛି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦିଲ୍ଲୀ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। NIA ଓ NSG ଟିମ୍ ମଧ୍ୟ ଘଟଣାର ତନାଘନା କରୁଛି। ବିସ୍ଫୋରଣ ପରେ ଦିଲ୍ଲୀ, ମୁମ୍ବାଇ ଓ ଉତ୍ତରପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି।