ପ୍ରସିଦ୍ଧ ଓଡ଼ିଆ ଗାୟକ ହ୍ୟୁମାନ ସାଗର ଅସୁସ୍ଥ

ଗୁରୁତର ଅବସ୍ଥାରେ ଏମ୍ସକୁ ସ୍ଥାନାନ୍ତର

ଭୁବନେଶ୍ଵର, ୧୪/୧୧: ଓଡ଼ିଶାର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସିତ ହେଉଥିଲେ। ୩୬ ବର୍ଷ ବୟସର ଏହି ବିଶିଷ୍ଟ ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କୁ ଆଜି ଅପରାହ୍ନ ୧ଟା ୧୦ ରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଜରୁରୀକାଳୀନ ବିଭାଗକୁ ଅଣାଯାଇଥିଲା।

ତାଙ୍କୁ ECMO ସ୍ପେଶିଆଲିଷ୍ଟ ଡକ୍ଟର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ମେଡିକାଲ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (MICU)ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ହସ୍ପିଟାଲର ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। MICU ଦଳ ଦ୍ୱାରା ତାଙ୍କୁ ୨୪ ଘଣ୍ଟା କଡ଼ା ନଜର ରଖାଯାଇଛି।

ସେ ବହୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ମଲ୍ଟି-ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମରେ ପୀଡ଼ିତ ଅଛନ୍ତି। ଯାହା ମସ୍ତିଷ୍କ, ଫୁସଫୁସ, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରେ। ଏବଂ ଆକ୍ୟୁଟ୍ ଅନ୍ କ୍ରନିକ୍ ଲିଭର ଫେଲ୍ୟୁଅର (ACLF) ସମସ୍ୟା ମଧ୍ୟ ରହିଛି। ତାଙ୍କୁ ନିମୋନିଆ ହୋଇଛି। ଉଭୟ ଫୁସଫୁସରେ ସଂକ୍ରମଣ ହୋଇଛି।